ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହରରେ ଏକ ଗ୍ରିନ୍ଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା ଏବେ ବି ସ୍ବପ୍ନ ହୋଇ ରହିଛି। ବାରମ୍ବାର ଦାବି ପରେ ରଂଗେଇଲୁଣ୍ଡାରେ ଥିବା ଏୟାରଷ୍ଟ୍ରିପ୍କୁ ‘ଉଡାନ୍’ ଯୋଜନାରେ ସାମିଲ କରା ଯାଇଥିଲା। ଏଠାରୁ ପ୍ରାଥମିକ ପର୍ଯ୍ୟାୟରେ ୯ସିଟ୍ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିମାନ ଚଳାଚଳ ବନ୍ଦ ରହିଥିବା ବେଳେ ଏୟାରଷ୍ଟ୍ରିପ୍ ସଂପ୍ରସାରଣ କାମ ଚାଲିଛି। ସଂପ୍ରସାରଣ କାମ ଗତ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟରେ କାମ ସମାପ୍ତ ନହେବାରୁ ଅବଧି ୨୦୨୫ ଡିସେମ୍ବରକୁ ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ ପ୍ରତିଶତ କାମ ସରିଥିବା ପୂର୍ତ୍ତ ବିଭାଗ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି। ବଳକା ରହିଥିବା କାମ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇଯିବ ବୋଲି ସେ କହିଛନ୍ତି।
ବ୍ରିଟିସ୍ ଶାସନ ଅମଳରେ ରଂଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୋଳାବନ୍ଧରେ ଆର୍ମି ଏୟାର୍ ଡିଫେନ୍ସ କଲେଜ ପ୍ରତିଷ୍ଠା ହେବା ପରେ ସେନା ବାହିନୀର ହେଲିକପ୍ଟର୍ ଏଠାରେ ଓହ୍ଲାଉଥିଲା। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ପର୍ଯ୍ୟାୟ କ୍ରମେ ଓଡ଼ିଶାର ଝାରସୁଗୁଡ଼ା, ରାଉରକେଲା ଭଳି ସହରକୁ ଉଡାନ୍ ଯୋଜନାରେ ସାମିଲ କରାଯାଇଥିଲା। ବ୍ରହ୍ମପୁରରେ ମଧ୍ୟ ଏକ ବିମାନବନ୍ଦର ପ୍ରତିଷ୍ଠା କରିବାକୁ ବହୁବାର ଦାବି ଉଠିଥିଲା। ଏଣୁ ରଂଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସଂପ୍ରସାରଣ କରି ବିମାନ ବନ୍ଦର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଗଞ୍ଜାମ ଜିଲ୍ଲା ପୂର୍ତ୍ତ ବିଭାଗ-୨ ଅଧୀନରେ କାମ ଆରମ୍ଭ ହୋଇଥିଲା। ସଂପ୍ରସାରଣ ପାଇଁ ଗତବର୍ଷ ଟେଣ୍ଡର୍ ଆହ୍ବାନ ହୋଇଥିଲା। 'ଫର୍ଚୁନ୍ ଗ୍ରୁପ୍' ନାମକ ସଂସ୍ଥା ପ୍ରାୟ ୩୧ କୋଟି ୫ଲକ୍ଷ ଟଙ୍କା ବ୍ୟୟରେ ସଂପ୍ରସାରଣ କାମ ଜାରି ରଖିଛି। କାମ ସରିବା ପରେ ରଂଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ୨-ବି କ୍ୟାଟେଗୋରିକୁ ଉନ୍ନୀତ ହେବ। ଏହି କାମ ମଧ୍ୟରେ ପୂର୍ବରୁ ଥିବା ରନ୍ୱେ ୭୦୦ ମିଟରରୁ ୯୫୦ ମିଟରକୁ ବୃଦ୍ଧି କରାଯାଉଛି। ସେହିପରି ଏହାର ଓସାର ମଧ୍ୟ ୧୫ରୁ ୩୦ ମିଟର ବୃଦ୍ଧି ପାଇବ। ଏହା ସହିତ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ସେଠାରେ ପୁଲିସ ବାରାକ୍ କୋଠା, ଫାୟାର୍ ଷ୍ଟେସନ୍, ଟର୍ମିନାଲ୍ ବିଲ୍ଡିଂ ଓ ଡାକ୍ତରଖାନା ତିଆରି ହେବ। ବିମାନବନ୍ଦର ଚାରିପଟେ ପାଚେରି ନିର୍ମାଣ କରାଯିବା ସହିତ ଡ୍ରେନ୍ ଓ ଆପ୍ରୋଚ୍ ରୋଡ଼ ମଧ୍ୟ ତିଆରି ଚାଲିଛି।
ଅନ୍ୟପଟେ ବିମାନବନ୍ଦର ପାଇଁ ଉଭୟ ଘରୋଇ ଓ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଚାଲିଛି। ଅଧିକାଂଶ ଜମି ଅଧିଗ୍ରହଣ ହୋଇ ସାରିଛି। ପୂର୍ବରୁ ଏୟାରଷ୍ଟ୍ରିପ୍ର ଜମି ପ୍ରାୟ ୩୪ ଏକର ରହିଥିଲା। ଏବେ ୪୦.୯୩୯ ଏକର ସରକାରୀ ଓ ୧୫.୧୪୬ ଏକର ଘରୋଇ ଜମି ଏଥିରେ ମିଶା ଯାଉଛି। ସେଠାରେ କିଛି ସରକାରୀ ଘର ରହିଥିବାରୁ ଜମି ଅଧିଗ୍ରହଣରେ ସମସ୍ୟା ହୋଇଛି। ସେହି ଘର ସ୍ଥାନାନ୍ତର ହେବା ପରେ ଜମି ଅଧିଗ୍ରହଣ ସମାପ୍ତ ହୋଇଯିବ ବୋଲି ଇଂ. ସାହୁ କହିଛନ୍ତି। ସଂପ୍ରସାରଣ କାମ ପାଇଁ ବର୍ତ୍ତମାନ ବିମାନ ଚଳାଚଳ ବନ୍ଦ କରାଯାଇଛି। ‘ଇଣ୍ଡିଆ ୱାନ୍ ଏୟାର୍’ ତରଫରୁ ପୂର୍ବରୁ ସପ୍ତାହକୁ ଦୁଇଦିନ ଭୁବନେଶ୍ବରକୁ ବିମାନ ଚଳାଚଳ କରାଯାଉଥିଲା। ପ୍ରାୟ ବର୍ଷେ ଚାଲିବା ପରେ ଯାତ୍ରୀ ନହେବାରୁ ଗୋଟିଏ ଦିନ ବନ୍ଦ କରାଯାଇଥିଲା। ଏବେ ସଂପ୍ରସାରଣ କାମ ପାଇଁ ବିମାନ ଚଳାଳଚ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା କାମ ସରିବା ପରେ ପୁଣିଥରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଇଛି।