ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସଂପ୍ରସାରଣ ଟେଣ୍ଡର୍‌ ଅଟକିଛି, ଘରୋଇ ଜମି ଅଧିଗ୍ରହଣ ଜାରି

ଅତିରିକ୍ତ ଟିକସକୁ ନେଇ ଦ୍ବନ୍ଦ୍ବ, ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାସ୍ଥିତ ଏୟାରଷ୍ଟ୍ରିପ୍‌କୁ ପରବର୍ତ୍ତନ କରି ଏୟାରପୋର୍ଟ କରି ଦିଆଗଲା। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅର୍ଥାତ୍ ମାର୍ଚ୍ଚ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ମଧ୍ୟରେ ବହୁ ପ୍ରତୀକ୍ଷିତ ବିମାନ ଚଳାଚଳକୁ ଶୁଭାରମ୍ଭ କଲେ। ଉଡ଼ାନ୍‌ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ନନ୍‌ ସିଡ୍ୟୁଲ୍‌ ପ୍ଲାନ୍‌ରେ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ ସପ୍ତାହକୁ ଦୁଇଥର ଚଳାଚଳ ଆରମ୍ଭ କରିବା ପରେ ଏବେ ସବୁଦିନିଆ ବିମାନ ଚଳାଚଳ ସାଂଗକୁ ଏହାର ବିମାନ ସେବାକୁ ବିଶାଖାପାଟଣା, ହାଇଦ୍ରାବାଦ୍‌ ଓ କୋଲକାତାକୁ ସଂପ୍ରସାରଣ କରାଯିବା ନେଇ ବି ଦାବି ଉଠିଲାଣି। ବିମାନ ଚଳାଚଳ ଆରମ୍ଭ ହେବା ପରେ ଲୋକଙ୍କ ଆଗ୍ରହ ବଢ଼ିବା ସହ ଚଳିତ ମାସ ପାଇଁ ଆଗ୍ରୀମ ଟିକେଟ୍‌ ବି ଶେଷ ହୋଇଯାଇଛି।

ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେଲା ସତ, କିନ୍ତୁ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରର ସଂପ୍ରସାରଣ ନେଇ ଯେଉଁ ଯୋଜନା କରାଯାଇଛି ତାହା ଆଗେଇ ପାରୁନାହିଁ। ବିମାନ ବନ୍ଦର ସଂପ୍ରସାରଣ ପାଇଁ ଆବଶ୍ୟକ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କେତେକ ବୈଷୟିକ କାରଣରୁ ଅଟକି ରହିଥିବା ସୂଚନା ମିଳିଛି। ସଂପ୍ରସାରଣ ପାଇଁ ସରକାରୀ ଓ ଘରୋଇ ଜମି ଆବଶ୍ୟକ ପଡ଼ୁଥିବା ବେଳେ ସରକାରୀ ଜମି ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଘରୋଇ ଜମି ଅଧିଗ୍ରହଣ ଆଜି ସୁଦ୍ଧା ୨୫ ଜଣ ବ୍ୟକ୍ତିଙ୍କ ଠାରୁ କ୍ରୟ ହୋଇସାରିଥିବା ଜଣାଯାଇଛି। ଘରୋଇ ଜମି ଅଧିଗ୍ରହଣ ବେଳେ ଜଣଙ୍କ ଜମିରେ ଘର ନିର୍ମାଣ ହୋଇସାରିଥିବା ଯୋଗୁଁ ଘର ସହ ଜମି ବର୍ତ୍ତମାନ ସରକାରୀ ଖାତାକୁ ଆସି ସାରିଥିବା ଜଣେ ପଦସ୍ଥ ଅଧିକାରୀ କହିଛନ୍ତି।

ସଂପ୍ରସାରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଗତ ଜାନୁଆରି ୧୨ ତାରିଖ ଦିନ ଟେଣ୍ଡର ଆହ୍ବାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୨୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ସଂପ୍ରସାରଣ କାର୍ଯ୍ୟ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ଫେବ୍ରୁଆରି ୨୬ ତାରିଖ ଦିନ ଖୋଲା ଯାଇଥିବା ବେଳେ ଏଥିରେ ମାତ୍ର ଜଣେ ଅଂଶଗ୍ରହଣ କରିଥିବା ଯୋଗୁଁ ଏହାକୁ ବାତିଲ କରି ଦିଆଯାଇଥିଲା। ନିୟମାନୁଯାୟୀ ଟେଣ୍ଡର ପ୍ରକ୍ରିୟାରେ ଜଣେ ଭାଗ ନେଲେ ଏହା ବାତିଲ କରାଯାଇ ପରବର୍ତ୍ତୀ ଟେଣ୍ଡର ଆହ୍ବାନ କରାଯିବା କଥା।

ପୂର୍ତ୍ତ ବିଭାଗ ଦ୍ବିତୀୟ ଥର ପାଇଁ ଟେଣ୍ଡର ଆହ୍ବାନ କରିବା ପାଇଁ ପ୍ରସ୍ତୁତ ହେବା ବେଳକୁ ଡିଏମ୍‌ଏଫ୍‌ ଓ ଇଏମ୍‌ଏଫ୍‌ ବାବଦ ଅତିରିକ୍ତ ଟିକସ କଥା ଉଠିବା ପରେ ଏହାକୁ ନେଇ ଉଠିଛି ଦ୍ବନ୍ଦ୍ବ। ତେବେ ଏହି ଅତିରିକ୍ତ ଟିକସ କଣ? ଏବଂ କେଉଁ  ବାବଦରେ ଆଦାୟ କରାଯିବ? ଏହା କାହା ଠାରୁ ଆଦାୟ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ। ଭିତ୍ତିଭୂମି ନିର୍ମାଣ ବେଳେ ଟେଣ୍ଡର ହାତେଇଥିବା ଠିକାଦାର ଏହା ଦେବାକୁ ପଡ଼ିବ ବୋଲି କୁହା ଯାଉଥିବା ବେଳେ ଏହି ଅତିରିକ୍ତ ଟିକସକୁ ନେଇ ଦ୍ବନ୍ଦ୍ବ ଉଠିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏଥିନେଇ ଜିଲ୍ଲାପାଳଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି। ଜିଲ୍ଲାପାଳଙ୍କ ଠାରୁ ସ୍ପଷ୍ଟୀକରଣ ମିଳି ନଥିବା ଯୋଗୁଁ ଦ୍ବିତୀୟ ଥର ପାଇଁ ଟେଣ୍ଡର୍‌ ଆହ୍ବାନ ହୋଇପାରୁ ନଥିବା ସୂଚନା ମିଳିଛି। ଯେହେତୁ  ବିମାନ ବନ୍ଦର ସଂପ୍ରସାରଣ କାର୍ଯ୍ୟକୁ ସରକାର ଗୁରୁତ୍ବ ଦେଉଛନ୍ତି ତେଣୁ ଆସନ୍ତା ଏପ୍ରିଲ୍‌ ମାସରେ ନିଶ୍ଚିତ ଭାବେ ଟେଣ୍ଡର ଆହ୍ବାନ କରାଯିବ ବୋଲି ବିଭାଗ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର