ବଡ଼ମ୍ବା ବନବିଭାଗ ହାଜତ ମୃତ୍ୟୁ: ରେଞ୍ଜର, ୨ ଫରେଷ୍ଟର, ୩ ଗାର୍ଡ ଗିରଫ

ଡିଏଫ୍‌ଓ ବି ହେବେ ତଦନ୍ତ ପରିସରଭୁକ୍ତ: ଏସ୍‌ଡିପିଓ

କଟକ/ଆଠଗଡ଼ : ବଡ଼ମ୍ବା ବନବିଭାଗ ହାଜତ ମୃତ୍ୟୁ ଘଟଣାରେ ଆଠଗଡ଼ ପୁଲିସ ବଡମ୍ବା ରେଞ୍ଜରଙ୍କ ସମେତ ୬ଜଣ ବନକର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଡମ୍ବା ରେଞ୍ଜର ସୁବ୍ରତ ବେହେରା, ଦୁଇ ଜଣ ଫରେଷ୍ଟର ମନୋଜ ଦାସ ଓ ଦୀପକ ସେଠୀ, ୩ ଜଣ ଫରେଷ୍ଟଗାର୍ଡ କୁନା ବେହେରା, ପ୍ରଭାତ ପ୍ରଧାନ, ସୁନାୟକ ମାଝିଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଅନ୍ୟ ୮ଜଣଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ପୁଲିସ ଛାଡିଛି। ଆବଶ୍ୟକ ପଡିଲେ ଯେ କୌଣସି ସମୟରେ ସେମାନେ ପୁଲିସ ନିକଟରେ ହାଜର ହୋଇ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କୁହାଯାଇଛି। ଯଦି ସେମାନଙ୍କ ବିରୋଧରେ କୌଣସି ତଥ୍ୟ ପ୍ରମାଣ ମିଳେ ତାହେଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି। ଏହି ଘଟଣାରେ ଡିଏଫ୍‌ଓ ଯଜ୍ଞଦତ୍ତ ପତି ମଧ୍ୟ ତଦନ୍ତ ପରିସରଭୁକ୍ତ ରହିଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ହାଜତ ମୃତ୍ୟୁ ଘଟଣାରେ ପୁଲିସ ୨ଟି ବୋଲେରୋ, ମାଡରେ ବ୍ୟବହୃତ ୪ଟି ବାଡି, ମୃତକ ଧନେଶ୍ବର ବେହେରାଙ୍କ ଲୁଗାପଟା ଆଦି ଜବତ୍‌ କରିଛି।


ଅନ୍ୟପଟେ ଗିରଫ ହୋଇଥିବା ଫରେଷ୍ଟର ମନୋଜ ଦାସଙ୍କୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ବଡମ୍ବା ମାଟି ତଳୁ ହାତୀକଙ୍କାଳ ଉଦ୍ଧାର ଘଟଣାରେ ପୂର୍ବରୁ ନିଲମ୍ବିତ ହୋଇଥିଲେ ଫରେଷ୍ଟର ତଥା ସେତେବେଳେ ବଡମ୍ବା ରେଞ୍ଜ ଦାୟିତ୍ବରେ ଥିବା ମନୋଜ ଦାସ। ସେ ହାଇକୋର୍ଟରୁ ଆଗୁଆ ଜାମିନରେ ଆସିବା ସହ ତାଙ୍କ ଉପରୁ ନିଳମ୍ବନ ମାତ୍ର ୩/୪ ଦିନ ତଳେ ପ୍ରତ୍ୟାହାର ହୋଇଥିଲା। ତାଙ୍କୁ ଆଠଗଡ଼ ବନଖଣ୍ଡ ମୁଖ୍ୟାଳୟରେ ରଖାଯାଇଥିଲା। କିନ୍ତୁ ତାଙ୍କୁ ପୁଣି କିପରି ହାତୀ ଶିକାର ଘଟଣାରେ ସ୍କ୍ବାଡ୍‌ରେ ରଖାଗଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏବେ ଧନେଶ୍ବରଙ୍କ ମୃତ୍ୟୁ ଘଟଣାରେ ସେ ଗିରଫ ହୋଇଥିବା ବେଳେ ତାଙ୍କ ପଛରେ କାହାର ଆଶୀର୍ବାଦ ରହିଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସୂଚନାଯୋଗ୍ୟ ଯେ ଜାନୁଆରି ୩୧ ତାରିଖରେ ବଡ଼ମ୍ବା ଓ ହିନ୍ଦୋଳ ସୀମାବର୍ତ୍ତୀ ମାଣିଆବନ୍ଧ ବିଟ୍‌ ଅନ୍ତର୍ଗତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା। ହାତୀକୁ ଗୁଳିକରି ହତ୍ୟା ପରେ ଦାନ୍ତକୁ କାଟି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ବନବିଭାଗ ଏହି ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆଠଗଡ଼ ଡିଏଫ୍‌ଓଙ୍କ ପକ୍ଷରୁ ସ୍ବତନ୍ତ୍ର ସ୍କ୍କାଡ ଗଠନ କରାଯାଇଥିଲା। ବନବିଭାଗ ହାତୀ ଶିକାର ଘଟଣାରେ ତଦନ୍ତ କରି ବଡ଼ମ୍ବା ଥାନା ସାତଗୋଛିଆ ଗ୍ରାମର ଧନେଶ୍ୱର ବେହେରାଙ୍କ ସମେତ ୪ଜଣଙ୍କୁ ଅଟକ ରଖିଥିଲା। ତେବେ ଧନେଶ୍ବରଙ୍କୁ ପଚରାଉଚୁରା ପରେ ଛାଡିଦେଇଥିଲା। କିନ୍ତୁ ପୁଣି ତାଙ୍କୁ ଉଠାଇ ଆଣି ଆଠଗଡ ରେଞ୍ଜ ତିଗିରିଆ ୱାଚ ଟାଓ୍ୱର ନିକଟରେ ରଖି ଜେରା କରାଯିବା ସହିତ ଥାର୍ଡ ଡିଗ୍ରି ଦିଆଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ମୃତ ଧନେଶ୍ୱରଙ୍କ ପତ୍ନୀ ତୁଳସୀ ବେହେରାଙ୍କ ଅଭିଯୋଗ ଆଧାରରେ ପୁଲିସ ବଡମ୍ବା ଥାନାରେ ଦଫା ୩୪୧ ,୨୯୪, ୩୫୪ , ୩୨୩, ୩୬୫, ୩୪୨ , ୩୦୨ , ୩୪ ଆ ପି ସି ୨୫/୨୭ ଆର୍ମସ ଓ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ କରିଥିଲା।

ଆଜି ଏହି ଘଟଣାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ଆଠଗଡ ଥାନା ଅଧିକା‌ରୀ ବାମଦେବ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର