ବଲାଙ୍ଗୀରରେ ବି ପା‌ଠକ : ଭିଜିଲାନ୍ସ ଜାଲରେ କୋଟିପତି ରେଞ୍ଜର

୨ଟି ଘର, ୪୨୦ ଗ୍ରାମ ସୁନାଗହଣା, ନଗଦ ୨ଲକ୍ଷ ୬୯ ହଜାର ବାହାରିଲା
ଆୟ ବହିଭୂର୍ତ ସମ୍ପତ୍ତି ଆକଳନ କରୁଛି ଭିଜିଲାନ୍ସ ଟିମ୍‌

ବଲାଙ୍ଗୀର/ମୁରିବାହାଲ/ଟିଟିଲାଗଡ଼ : ସାରା ରାଜ୍ୟରେ କୁବେର ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତଙ୍କ ଅମାପ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବଲାଙ୍ଗୀରରେ ବି ବନ ବିଭାଗର ଜଣେ ବଡ଼ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ। ତାଙ୍କ ନାଁରେ ଦୁର୍ନୀତି ନେଇ ବି ଅନେକ ଅଭିଯୋଗ ପୂର୍ବରୁ ଥିଲା ଏବଂ ଏ ନେଇ ସମ୍ବାଦରେ ମଧ୍ୟ ଖବର ପ୍ରକାଶ ପାଇଥିଲା।

ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଟିଟିଲାଗଡ଼ ହାଟପଦାପଡ଼ାସ୍ଥିତ ବାସଭବନରେ ସକାଳୁ ପହଞ୍ଚଥିଲା ଭିଜିଲାନ୍ସ ଟିମ। ସେହିପରି ମୁରିବାହାଲ ରେଞ୍ଜ ଅଫିସ, ସେଠାକାର ବାସଭବନ, ବେଲପଦର ନିକଟରେ ସେ କରିଥିବା ଫାର୍ମହାଉସରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଥିଲେ। ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁରର ଚାରୋଟି ଟିମରେ ପ୍ରାୟ ୨୫ ଜଣ ଅଧିକାରୀ ସାମିଲ ଥିଲେ। ଚଢ଼ଉରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ଭିଜିଲାନ୍ସ ପାଇଛି। ରେଞ୍ଜର ଶ୍ରୀ ନାୟକଙ୍କ ଟିଟିଲାଗଡ଼ ଘର(୭୨ଲକ୍ଷ), ଫାର୍ମହାଉସରେ ସେ କରିଥିବା ଘର(୨୬ଲକ୍ଷ), ପ୍ରାୟ ୪୨୦ ଗ୍ରାମ ସୁନାଗହଣା, ନଗଦ ୨ଲକ୍ଷ ୬୯ ହଜାର ଟଙ୍କା, ଗୋଟିଏ ବଲେରୋ, ଗୋଟିଏ ମହିନ୍ଦ୍ରା ଟିୟୁଭି, ପଲସର ବାଇକ, ଏଲ୍‌ଆଇସିରେ ଜମା କରିଥିବା ୧୨ଲକ୍ଷ, ୪ଟି ପ୍ଲଟ ଆଦି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଲତାଡ଼ ଭିଜିଲାନ୍ସ କରୁଛି। ସେ କେତେ ଟଙ୍କା ଜମା ରଖିଛନ୍ତି ତାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍‌। ପ୍ରାୟ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ତାଙ୍କର ଥିବା ଅନୁମାନ କରାଯାଉଛି। ଭିଜିଲାନ୍ସ ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟରେ ଫାଇଲପତ୍ର ସବୁକୁ ଛାନଭିନ କରିବା ସହ କିଛି କାଗଜପତ୍ର ଜବତ କରିଛି। ଏହାସହ ତାଙ୍କ ଟିଟିଲାଗଡ଼ ବାସଭବନରୁ ଅନେକ କିଛି କାଗଜପତ୍ର ଜବତ ହୋଇଛି। ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦେଶକ୍ରମେ ହୋଇଥିବା ଏହି ଚଢ଼ଉରେ ଡିଏସ୍‌ପି ଦାଶରଥି ସେଠୀ, ଡିଏସ୍‌ପି କାଦମ୍ବିନୀ ସାମଲ, ଡିଏସ୍‌ପି ପରମେଶ୍ୱର କିଷାନ, ଇନିସ୍ପେକ୍ଟର ସଦାନନ୍ଦ ପାଣି, ସି. ବିଲୁଙ୍ଗ, ତପସ୍ୱିନୀ ସେଠ, ପି.କେ. ମହାପାତ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର