ହାତୀ ଦାନ୍ତ ପାଖରେ ରଖି ରେଞ୍ଜର୍‌ ନିଲମ୍ବିତ

କଟକ/ଆଠଗଡ଼ : ୧୪ ମାସ ତଳର ହାତୀ ମୃତ୍ୟୁ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଲା। ବନବିଭାଗ ପକ୍ଷରୁ ଦନ୍ତାହାତୀକୁ ପୋତି ଦିଆଯାଇଥିବା ବେଳେ ତାର ଦାନ୍ତକୁ କିନ୍ତୁ ରେଞ୍ଜର ନିଜ ପାଖରେ ରଖି ଦେଇଥିଲେ। ନିୟମ ଅନୁସାରେ ମୃତ ହାତୀର ଦାନ୍ତକୁ ସରକାରୀ ଟ୍ରେଜେରିରେ ରଖା ଯିବା କଥା। କିନ୍ତୁ ୧୪ ମାସ ତଳର ଏଭଳି ବେଆଇନ କାମ ପାଇଁ ଆଠଗଡ ସଦର ରେଞ୍ଜ୍‌ର ଆୟେଶା ଅଖତରୀ ନିଶାଙ୍କୁ ନିଲମ୍ବିତ କରାଯାଇଛି। ନଭେମ୍ବର ଏକ ତାରିଖ ଦିନ ଆରସିସିଏଫ୍‌ ଅକ୍ଷୟ ପଟ୍ଟନାୟକ ଘଟଣାର ତଦନ୍ତ କରିଥିବା ବେଳେ ତାଙ୍କ ରିପୋର୍ଟ ଆଧାରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ ଆଠଗଡ଼ ସଦର ଫରେଷ୍ଟ୍‌ ରେଞ୍ଜ ଅନ୍ତର୍ଗତ ସୁବାସୀ ସଂରକ୍ଷିତ ଜଙ୍ଗଲ ନିକଟ ସିମେଣ୍ଟ କମ୍ପାନି ପାଖରେ ଏକ ୧୦ ବର୍ଷ ବୟସର ଦନ୍ତାହାତୀକୁ ଗତବର୍ଷ ଅଗଷ୍ଟ ୨୭ ତାରିଖରେ ଗୁଳି କରି ମାରି ଦିଆଯାଇଥିଲା। ସଦର ଫରେଷ୍ଟ ରେଞ୍ଜ ଅଫିସର ଆୟେଶା ଅଖତରୀ ନିଶା ଘଟଣାସ୍ଥଳରେ ପହଞ୍ଚି ରାତିଅଧରେ ହାତୀକୁ ପୋତି ଦେବା ସହ ଦାନ୍ତକୁ ନେଇ ଯାଇଥିଲେ। ଯଦି ଶିକାରୀ ହାତୀ ମାରିଥିଲା ତେବେ ବନବିଭାଗ ଘଟଣାକୁ କାହିଁକି ଲୁଚାଇ ଥିଲା? ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ରେଞ୍ଜର ଡିଏଫ୍‌ଓଙ୍କୁ ହାତୀଦାନ୍ତ ଫେରସ୍ତ କରିଥିଲେ। କିନ୍ତୁ ଏଭଳି ବେଆଇନ କାର୍ଯ୍ୟ ପାଇଁ ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆର୍‌ସିସିଏଫ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର