ରେଞ୍ଜରଙ୍କୁ ଅଟକ ରଖିଲେ ବାଦୀମାଲ ଗ୍ରାମବାସୀ

ଲାଠୋର : ବଲାଙ୍ଗୀର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ଲାଠୋର ରେଞ୍ଜର୍‌ ପ୍ରଭାତୀ ସେଠୀଙ୍କୁ ବେନ୍ଦେର ପଞ୍ଚାୟତ ବାଦୀମାଲ ଗ୍ରାମବାସୀ ଜଙ୍ଗଲ ଜମି ପାଇଁ ସୋମବାର ଅଟକ ରଖିଥିଲେ। ଗ୍ରାମବାସୀଙ୍କ କହିବା ହେଲା, ବାଦୀମାଲ ଗ୍ରାମର ୨୧ ଆଦିବାସୀ ପରିବାର ୧୯୯୦ ମସିହାରୁ ବେନ୍ଦେର ସଂରକ୍ଷିତ ଜଙ୍ଗଲ-୨ରେ ଥିବା କୁରରା ନଲା, ଭଣ୍ଡାର ନଲା, ଟାଙ୍ଗର ଜଙ୍ଗଲଠାରେ ଜଙ୍ଗଲ ଜମି ଅଧିକାର କରିଛନ୍ତି। ବାରମ୍ବାର ସେମାନେ କାଗଜ ପତ୍ର କରି ଆସୁଥିଲେ ମଧ୍ୟ ଜଙ୍ଗଲ ଜମି ପଟ୍ଟା ପାଇ ପାରୁନାହାନ୍ତି।

ସୋମବାର ସକାଳେ ରେଞ୍ଜରଙ୍କ ସହିତ ଫରେଷ୍ଟର ସମୀର ରଞ୍ଜନ ମହାପାତ୍ର, ଗାର୍ଡ ଅସିତ ବାଗ ଓ ଅନ୍ୟ ବନ କର୍ମଚାରୀମାନେ ସେହି ସ୍ଥାନକୁ ବୈଠକ ପାଇଁ ଯାଇଥିଲେ। ବନ କର୍ମଚାରୀମାନଙ୍କ ସହିତ ଆଲୋଚନା ପରେ କାହିଁକି ଜଙ୍ଗଲ ଜମି କାଗଜ ପତ୍ରକୁ ପଟ୍ଟା କରାଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରି ଅଟକ ରଖିଥିଲେ। ପରେ ରେଞ୍ଜର ସେମାନଙ୍କୁ ବୁଝାସୁଝା କରି ଡିଏଫ୍‌ଓଙ୍କ ସହିତ ଆଲୋଚନା କରିବାକୁ କୁହାଯାଇଛି ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ସମସ୍ତଙ୍କୁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର