ଘରୋଇ କଲେଜରେ ଛାତ୍ରଙ୍କୁ ରାଗିଂ: ପ୍ରଥମ ବର୍ଷ ଛାତ୍ରଙ୍କୁ ‌ପିଟିଲେ ୪ ସହପାଠୀ

ସମ୍ବଲପୁର: ସମ୍ବଲପୁର ଶାସନସ୍ଥିତ ବୈଦିକ କନିଷ୍ଠ ମହାବିଦ୍ୟାଳୟର ଜଣେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଙ୍କୁ ଅନ୍ୟ ୪ ଛାତ୍ର ନିସ୍ତୁକ ମାଡ଼ ମାରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଛାତ୍ର ଜଣଙ୍କ ଆହତ ହୋଇ ଉକ୍ତ କଲେଜ କ୍ୟାମ୍ପସରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ଛାତ୍ରଙ୍କ ବାପାଙ୍କ ଅଭିଯୋଗକ୍ରମେ ଶାସନ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଘଟଣାର ଗୁରୁତ୍ବ ଦୃଷ୍ଟିରୁ ଅତିରିକ୍ତ ଏସ୍‌ପି ପିକେ ମହାପାତ୍ର ନିଜେ ତଦନ୍ତ ତଦାରଖ କରୁଛନ୍ତି। ଏ ସଂପର୍କରେ ତାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଅଭିଯୋଗ ମୁତାବକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଯେହେତୁ ସମସ୍ତ ଅଭିଯୁକ୍ତ ନାବାଳକ, ତେଣୁ ସବୁ ଦିଗକୁ ବିଚାରକୁ ନେଇ ଅନୁସନ୍ଧାନ କରାଯାଉଛି। ଆହତ ଛାତ୍ରଙ୍କର ଡାକ୍ତରୀ ମାଇନା କରାଯାଇଛି। ମାଡ଼ ମାରିଥିବା ୪ ଛାତ୍ର ଘରକୁ ଚାଲି ଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଚାଲିଥିବାରୁ ଅଧିକ କିଛି କହିବାକୁ ପୁଲିସ ମନା କରି ଦେଇଛି।

ଆହତ ଛାତ୍ରଙ୍କ ପିତା ସମ୍ବଲପୁର ଜିଲ୍ଲା ଧମା ଥାନା ମାଳତି ଗୁଣ୍ଡେରପୁର ଗାଁର ଗୌରଚରଣ ମିଶ୍ର ଶାସନ ଥାନାରେ ଗୁରୁତର ଅଭିଯୋଗ କରିଛନ୍ତି। ସେ ଦର୍ଶାଇଛନ୍ତି, ଗତ ୧୪ ତାରିଖରୁ ପୁଅକୁ କଠୋର ନିର୍ଯାତନା ସହ ଲୁହାରଡ୍‌, ଷ୍ଟିଲ ପାଇପ୍‌, ବେଲ୍‌ଟ ଓ ମୋଟା ବାଡ଼ିରେ ପ୍ରବଳ ମାଡ଼ ମରାଯାଇଛି। ଏହାପରେ କଲେଜର ନିଜସ୍ବ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ମାତ୍ର ତାଙ୍କୁ କିମ୍ବା ପରିବାରବର୍ଗଙ୍କୁ ଏ ବିଷୟରେ ସୂଚନା ଦିଆଯାଇନାହିଁ। ଆଜି ସେ ନିଜ ସ୍ତ୍ରୀଙ୍କ ସହ ପୁଅକୁ ଦେଖିବାକୁ କଲେଜ ଆସିଥିବା ବେଳେ ହଷ୍ଟେଲରେ ପୁଅକୁ ପାଇ ନଥିଲେ। ପୁଅ ହସ୍ପିଟାଲରେ ଥିବା ୱାଡେନ୍‌ଙ୍କଠାରୁ ସୂଚନା ପାଇଥିଲେ। ପୁଅର ଦେହସାରା ମାଡ଼ ଚିହ୍ନ ଓ ଦୁଇଟି ସ୍ଥାନରୁ ରକ୍ତ ବାହାରିଥିବା ଦେଖିଥିଲେ। ପୁଅକୁ ପଚାରିବାରୁ କଲେଜର ୪ ଜଣ ଛାତ୍ର ତା’ ମୁହଁରେ ଗାମୁଛା ବାନ୍ଧି ଓ ତଣ୍ଟିକୁ ଧରି ବାଥ୍‌ରୁମ୍‌ରେ ପୂରାଇ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା କହିଥିଲା। ଏଥିସହ ଘଟଣା ବିଷୟରେ କଲେଜ କର୍ତ୍ତୃପକ୍ଷ କିମ୍ବା ପରିବାର ଲୋକଙ୍କୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ମଧ୍ୟ ପୁଅ କହିଥିଲା। ଏ ସଂପର୍କରେ ଗୌରଚରଣ କଲେଜ ପ୍ରିନ୍ସିପାଲଙ୍କୁ ପଚାରିବାରୁ ସେ ଏବିଷୟରେ କିଛି ଜାଣିନଥିବା କହିଥିଲେ। ଏହି ଘଟଣାର ଉପଯୁକ୍ତ ତଦନ୍ତ ସହ ନ୍ୟାୟ ପାଇଁ ଶ୍ରୀ ମିଶ୍ର ପୁଲିସକୁ ନିବେଦନ କରିଛନ୍ତି। ଏତଲାରେ ୪ ଜଣ ଛାତ୍ରଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର