ବଜାରରେ ରଙ୍ଗମିଶା ନକଲି ଚୁଡ଼ା! ମାଲଗୋଦାମର ତିନି ଗୋଦାମରୁ ନମୁନା ନେଲା ସିଏମ୍‌ସି

ଉପଯୁକ୍ତ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ବଣିକ ସଂଘର ଦାବି

କଟକ: ଉପକୂଳ ଜିଲ୍ଲାର ନିର୍ଦ୍ଦିଷ୍ଟ କେତେକ ମିଲ୍‌ରୁ ଆସୁଛି ନକଲି ରଙ୍ଗ ମିଶ୍ରିତ ଚୁଡା। ନାଲି ରଙ୍ଗ ମିଶାଇ ଦେଶୀ ଚୁଡାର ଭ୍ରମ ସୃଷ୍ଟି କରାଯାଉଥିବା ଘଟଣା ସାମନାକୁ ଆସିବା ପରେ ଆଜି କଟକ ପୌର ନିଗମ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି। ଆଜି ମାଲଗୋଦାମର ୩ଟି ଚୁଡ଼ା ଗୋଦାମରୁ ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ଲାବରେଟୋରିକୁ ପଠାଯାଇଛି। ଚୁଡ଼ାରେ ନାଲି ଓ ସବୁଜ ରଙ୍ଗ ମିଶୁଥିବା ନେଇ ଅଭିଯୋଗ ଆସିଥିବା ବେଳେ ପୌର ନିଗମ କିନ୍ତୁ ଯେଉଁ ପ୍ରକାର ଯାଞ୍ଚ ଆରମ୍ଭ କରିଛି, ତାହାକୁ ନେଇ ମାଲଗୋଦାମ ବଣିକ ସଂଘ କ୍ଷୋଭ ପ୍ରକାଶ କରିଛି। ଉପକୂଳ ଜିଲ୍ଲାରେ ଥିବା ମିଲରେ ଚୁଡ଼ାରେ ରଙ୍ଗ ଦିଆଯାଉଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରଶାସନ ସେଠାରେ ଚଢ଼ଉ ନକରି ମାଲଗୋଦାମରେ ବ୍ୟବସାୟୀଙ୍କୁ ନିର୍ଯାତନା ଦେଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ତଥ୍ୟ ଅନୁଯାୟୀ ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ଥିବା ନିର୍ଦ୍ଦିଷ୍ଟ ଚୁଡ଼ା ମିଲ୍‌ରେ ଧଳାଚୁଡ଼ାରେ ରଙ୍ଗ ମିଶାଯାଉଥିବା ସଂପର୍କରେ ତଥ୍ୟ ସାମନାକୁ ଆସିଥିଲା। ଏହି ତଥ୍ୟ ଆଧାରରେ ପୌର ନିଗମର ଏକ ଟିମ୍ ଆଜି ମାଲଗୋଦାମରେ ଯାଞ୍ଚ ଆରମ୍ଭ କରିଥିଲା। ମାଲଗୋଦାମରେ ଥିବା ୩ଟି ଚୁଡ଼ା ଗୋଦାମରୁ ନମୁନା ସଂଗ୍ରହ କରାଯାଇ ତାହାକୁ ଭୁବନେଶ୍ବର ରାମମନ୍ଦିର ନିକଟରେ ଥିବା ରାଜ୍ୟ ଫୁଡ୍‌ ସେଫ୍‌ଟି ଲାବୋରେଟୋରିକୁ ପଠାଯାଇଛି। ଯାଞ୍ଚରେ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ତଥା ନୋଡାଲ୍ ଅଫିସର ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା, ମିଟନ୍ ଶାହା ପ୍ରମୁଖ ସାମିଲ ହୋଇଥିଲେ।

କିନ୍ତୁ ଏଭିଳି ଯାଞ୍ଚକୁ ନେଇ କଟକ ବଣିକ ସଂଘର ଯୁଗ୍ମସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ଯେ ଚୁଡ଼ାରେ ରଙ୍ଗ ମିଶୁଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହା ମାଲଗୋଦାମରେ ହେଉନାହିଁ। ମାଲଗୋଦାମରେ କେବଳ ଚୁଡ଼ା ବିକ୍ରି କରାଯାଉଛି। ଚୁଡ଼ାରେ କଣ ମିଶୁଛି କି ନମିଶୁଛି ସେଥିରେ ମାଲଗୋଦାମ ବ୍ୟବସାୟୀଙ୍କର କୌଣସି ଭୂମିକା ନାହିଁ। ତେଣୁ ପ୍ରଶାସନ ଚୁଡ଼ା ପ୍ରସ୍ତୁତ ହେଉଥିବା ମିଲରେ ଯାଞ୍ଚ କରିବା ଆବଶ୍ୟକ। ଚୁଡ଼ାରେ ରଙ୍ଗ ମିଶୁଥିବା ସମ୍ପର୍କରେ ପ୍ରଶାସନ ବି କେବେଳ ବ୍ୟବସାୟୀଙ୍କୁ ପୂର୍ବରୁ ସଚେତନ କରିନାହିଁ। ଚୁଡ଼ାରେ ଅପମିଶ୍ରଣ ଜାଣିବା ସଂପର୍କରେ ବି ବ୍ୟବସାୟୀଙ୍କ ପାଖରେ ସେଭଳି ବି କୌଣସି ସୁଯୋଗ ନାହିଁ। ତେଣୁ ପ୍ରଶାସନ ଏହାର ଉପଯୁକ୍ତ ତଦନ୍ତ କରି ଘଟଣାର ମୂଳକୁ ଯାଇ ପର୍ଦ୍ଦାଫାସ କରୁ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର