ଏବେ ବି ଅସୁରକ୍ଷିତ ରାଣୀପୁର ଝରିଆଲ, ମୂର୍ତ୍ତି ଚୋରିକୁ ଭୁଲିଗଲେଣି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ରେ ରହିଛି ଐତିହାସିକ ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ପୀଠ। ଯାହାକି ସାରା ଭାରତବର୍ଷରେ ଜଣାଶୁଣା। ତନ୍ତ୍ରସାଧନାର କୀର୍ତ୍ତିରାଜି ବହନ କରୁଥିବା ଏହି ପୀଠ କିନ୍ତୁ ଦଶନ୍ଧି ହେଲା ଅସୁରକ୍ଷିତ। ବୌଦ୍ଧଯୁଗୀୟ ଅନେକ କଳାକୃତି ଦେଖିବାକୁ ମିଳେ। ଏହି ତନ୍ତ୍ର ପୀଠକୁ ଦେଶବିଦେଶର ଅନେକ ପର୍ଯ୍ୟଟକ ଆସନ୍ତି। କୁହାଯାଏ ସୋମବଂଶୀ ରାଜାମାନେ ଏହି ପୀଠକୁ ସ୍ଥାପନ କରିଥିଲେ। ଏଠାରେ ଶାକ୍ତ, ବୈଷ୍ଣବ ଓ ବୌଦ୍ଧଧର୍ମର ସମ୍ମିଶ୍ରଣ ଥିବା ଐତିହାସିକମାନଙ୍କ ମତ। ପାହାଡ଼ରେ ରହିଛି ଇନ୍ଦ୍ରଲାଠ ମନ୍ଦିର। ପାହାଡ ମଝିରେ ରହିଛି ଯୋଗିନୀଙ୍କ ମନ୍ଦିର। ଅନେକ ମୂର୍ତ୍ତି ଅବକ୍ଷୟ ହୋଇଗଲାଣି। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଚଉଷଠି ଯୋଗିନୀଙ୍କ ପଥର ମୂର୍ତ୍ତି ଅବକ୍ଷୟ ହୋଇଗଲାଣି। କିଛି ମୂର୍ତ୍ତି ଭାଙ୍ଗିଯାଉଛି।

ବହୁ ଐତିହାସିକ କଳାକୃତି ଏଣେତେଣେ ପଡିଛି। ସବୁଠୁ ଦୁଃଖର କଥା ଏହି ପୀଠରୁ ପ୍ରାୟ ୬ଟି ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଥିବା ବର୍ତ୍ତମାନର ମନ୍ଦିର କମିଟି କର୍ମକର୍ତ୍ତା କୁହନ୍ତି। ସେହିପରି ୧୯୭୫ ମସିହାରେ ଇନ୍ଦ୍ରଲାଠ ମନ୍ଦିରର ଶିବଲିଙ୍ଗ ଚୋରି ହୋଇଯାଇଥିବା ବୟସ୍କ ଲୋକଙ୍କଠାରୁ ଜଣାଯାଏ। ଯେଉଁ ସମୟରେ ମନ୍ଦିରରୁ ଚୋରି ହୋଇଥିଲା, ସେହି ସମୟରେ ଥାନାକୁ ବି ମାମଲା ଯାଇ ନ ଥିଲା। କାଁଭାଁ କିଛି ହୋହଲ୍ଲା ହୋଇଥିଲା ଓ ସବୁ କିଛି ନିରବିଯାଇଥିଲା। ଏବେ ବି କିଏ ସେ ମୂର୍ତ୍ତି ନେଲା ତାହା ଜଣାପଡ଼ିନି। ଅପରପକ୍ଷେ କିଛିଦିନ ପୂର୍ବରୁ ବଙ୍ଗାଳୀ ବାବା କିଛି ସାଧୁ ବେଶରେ ଆସି ତନ୍ତ୍ରପୀଠରେ ମନ୍ତ୍ର ସାଧନା କରିଥିଲେ। ଏହାର ଭିଡିଓ ମଧ୍ୟ ଉଠାଇ ନେଇଥିଲେ। ଡ୍ରୋନ କ୍ୟାମେରା ଉଡ଼ିଥିଲା।

ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ଗଣମାଧ୍ୟମରୁ ଜାଣିବା ପରେ କେବଳ ଘେରାଏ ବୁଲି ଆସି ନିଜ କାମ ତୁଟାଇ ଦେଇଥିଲେ। ନିୟମ ବିରୋଧରେ ଯାଇ ବାବାମାନେ ପୂଜାପାଠ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ ବି କଠୋର କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏବେ ପୁଣି ଏହି ମୂର୍ତ୍ତି ପ୍ରସଙ୍ଗ ଫାଇଲକୁ ରିଓପନ କରି ରାଜ୍ୟ ସରକାର ପୀଠକୁ ମୂର୍ତ୍ତି ଫେରାଇବାର ବ୍ୟବସ୍ଥା କରିବା ଦରକାର ବୋଲି ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, ମନ୍ଦିର ପୂଜା କମିଟି ଆବାହକ ଅନିଲ ତ୍ରିପାଠୀ, ସଭାପତି ମାଣିକ ଚାନ୍ଦ ଜୈନ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର