ମୌଳିକ ସୁବିଧାରୁ ବଞ୍ଚିତ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ରାଣୀସିଲେଟ୍ ଗାଁ

ମୁରିବାହାଲ : ମୁରିବାହାଲ ବ୍ଲକ ଗୁଡ଼ିଗାଟ ପଞ୍ଚାୟତ ବାରବନ୍ଧ ନିକଟରେ ରହିଛି ରାଣୀସିଲେଟ୍ ଗାଁ। ଚାରିଆଡ଼େ ଜଙ୍ଗଲ, ପାହାଡ଼। ମଝିରେ ଥିବା ଏହି ଗାଁ ବ୍ଲକ୍ ମୁଖ୍ୟାଳୟ ଠାରୁ ମାତ୍ର ୧୦ କିମି ଦୂର। ଗାଁରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଏମାନେ ଆଜି ବି ଅବହେଳିତ ଜୀବନ ଜିଉଁଥିବା ଦେଖିବାକୁ ମିଳିଛି। ମୌଳିକ ସୁବିଧା ସୁଯୋଗ ଏମାନଙ୍କ ପାଇଁ ଅପହଞ୍ଚ ରହିଛି।

ଏହି ଗାଁକୁ ୟାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ବିଜୁଳି ସଂଯୋଗ ପାଇଁ ଗାଁରେ ଖୁଣ୍ଟ ପୋତା ଯାଇ ତାର ଟଣା ଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଫର୍ମର ଲାଗି ନାହିଁ। ଫଳରେ ଗ୍ରାମବାସୀ ଆଜି ବି ଅନ୍ଧାରରେ ରାତି କାଟୁଛନ୍ତି। କଳାବଜାରରେ ବିକ୍ରି ହେଉଥିବା କିରୋସିନ ଲିଟର ପିଛା ୫୦ ଟଙ୍କାରେ କିଣି ଡିବିରି ଆଲୁଅ କିମ୍ବା ଛୋଟ ସୋଲାର୍ ଲାଇଟ ଓ ଟର୍ଚ୍ଚ ଜାଳି କାମ ଖାଇବା ପିଇବା ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା କାମ କରିଥାନ୍ତି। ଗାଁରେ ଥିବା ୨ଟି ନଳକୂପ ମଧ୍ୟରୁ ଗୋଟିଏ ବହୁବର୍ଷ ହେବ ଅଚଳ ହୋଇପଡ଼ିଛି। ଗାଁ ମୁଣ୍ଡରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପଯୋଗ ପାଇଁ ଥିବା ଅନ୍ୟ ନଳକୂଅରୁ ହଳଦିଆ ପାଣି ବାହାରୁ ଥିବାରୁ ତାହା ବି  ପାନୀୟ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ଫଳରେ ଗାଁଠାରୁ ବହୁ ଦୂରରେ ବହି ଯାଉଥିବା ଏକ ଯୋରର ବାଲିଚୁଆଁ ପାଣି ଉପରେ ବର୍ଷ ସାରା ନିର୍ଭର କରିଥାନ୍ତି ଗ୍ରାମବାସୀ। ଖରାଦିନେ ୬ରୁ ୭ ଫୁଟ୍ ଗଭୀର ବାଲିଚୁଆଁ କରି ମହିଳାମାନେ ବହୁ କଷ୍ଟରେ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ବର୍ଷା ଦିନେ ବାଧ୍ୟ ହୋଇ ଗୋଳିଆ ପାଣି ବ୍ୟବହାର କରିଥାନ୍ତି।

ମନରେଗା ଯୋଜନାରୁ ଏକ ପୋଖରୀ ଖନନ କାମ ଆରମ୍ଭ ହୋଇଥିଲା। ହେଲେ ତାହା ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଛୋଟ ଛୋଟ ଶିଶୁ ପ୍ରାକ୍‌ ପ୍ରାଥମିକ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଗ୍ରାମରେ ଆଶାକର୍ମୀ ବି ନାହାନ୍ତି। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ସମ୍ପର୍କରେ ଗାଁର ଶ୍ୟାମଘନ ମାଝୀ, ବଂଶୀଧର ମାଝୀଙ୍କ ସହ ବହୁ ମହିଳା ଅଭିଯୋଗ କରିଛନ୍ତି। ଗୁଡ଼ିଘାଟ ସରପଞ୍ଚ ମିଥିଳା ମାଝୀଙ୍କୁ ପଚାରିବାରୁ ଗ୍ରାମରେ ମାଟିକାମ ସହ ଚେକଡ୍ୟାମ କାମ କରାଯାଇଥିଲା, ବିଜୁଳି ଓ ଅନ୍ୟାନ୍ୟ କାମ ଖୁବଶୀଘ୍ର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ବିଡ଼ିଓ ସିପକ ପାତ୍ରଙ୍କୁ ପଚାରିବାରୁ ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକର ମୌଳିକ ସୁବିଧା ପାଇଁ ଅନୁଦାନ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି, ଅନୁଦାନ ଆସିଲେ ବାକି କାମ ସବୁ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର