ଭୁବନେଶ୍ବର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଉ ଏକ ବଡ଼ ପ୍ରୋତ୍ସାହନ ମିଳିଛି। ରାଣୀତାଲ ଲିଙ୍କ୍‌ କ୍ୟାବିନ୍ ଓ ଭଦ୍ରକ ମଧ୍ୟରେ ଚତୁର୍ଥ ରେଳ ଲାଇନ୍‌ ନିର୍ମାଣ ପାଇଁ ୧୪୯.୩୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ୍‌ ସହ ଟ୍ରେନ୍‌ ପରିଚାଳନାର କ୍ଷମତା ଓ ଦକ୍ଷତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ। ଧାମରା ଓ ପାରାଦୀପ ବନ୍ଦରକୁ ମାଲ୍‌ ପରିବହନରେ ଉନ୍ନତି ଆସିବ।  ହାଓଡ଼ା-ଚେନ୍ନାଇ ହାଇ-ଡେନ୍‌ସିଟି ନେଟ୍‌ୱାର୍କ(ଏଚ୍‌ଡିଏନ୍‌) ମଧ୍ୟରେ ରାଣିତାଲ ଲିଙ୍କ୍‌ କ୍ୟାବିନ୍-ଭଦ୍ରକ ସେକ୍ସନ ଏକ ପ୍ରମୁଖ ଅଂଶ, ଯାହାକି ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ କରିଡର୍‌ ମଧ୍ୟରୁ ଗୋଟିଏ।

Advertisment

ନୂତନ ଭାଭେ ମଞ୍ଜୁର ହୋଇଥିବା ଚତୁର୍ଥ ଲାଇନ୍‌ ମୁଖ୍ୟ ଲାଇନ୍‌ରୁ ବନ୍ଦର ଅଭିମୁଖେ ମାଲ୍‌ ପରିବହନକୁ ପୃଥକ କରି ଭିଡ଼ କମ୍‌ କରିବାରେ ସାହାଯ୍ୟ କରିବ। ଯାତ୍ରୀ ଓ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍‌ ଉଭୟ ପାଇଁ ଦ୍ରୁତ ଏବଂ ଅଧିକ ସମୟାନୁବର୍ତ୍ତୀ ପରିଚାଳନା ସୁନିଶ୍ଚିତ କରିବ। ଏହାବ୍ୟତୀତ ଖଡ଼ଗପୁରରୁ ଭୁବନେଶ୍ୱର ମଧ୍ୟରେ ଅଧିକ କୋଚିଂ ଟ୍ରେନ୍‌ର ସୁଗମ ଚଳାଚଳକୁ ମଧ୍ୟ ପ୍ରୋତ୍ସାହିତ କରିବ। ବର୍ତ୍ତମାନ ଏହି ସେକ୍ସନରେ ପ୍ରବଳ ଭିଡ଼ ହେଉଥିବାରୁ ଟ୍ରେନ୍‌ଗୁଡିକର ଗତିରେ ବାଧା ସୃଷ୍ଟି କରୁଛି। ଏହି ପ୍ରକଳ୍ପ ଶେଷ ହେବା ପରେ ପରିଚାଳନାଗତ ପ୍ରତିବନ୍ଧକକୁ ହ୍ରାସ କରାଯିବ। ଜନସାଧାରଣଙ୍କ ପାଇଁ ଏକ ଅଧିକ ନିର୍ଭରଯୋଗ୍ୟ ଓ ସମୟାନୁବର୍ତ୍ତୀ ଟ୍ରେନ ସମୟ ସୂଚୀକୁ ସକ୍ଷମ କରିବ। ଏହି ପ୍ରକଳ୍ପ ମାଲ୍‌ ପରିବହନ ଓ କୋଚିଂ ଟ୍ରେନ୍‌ଗୁଡ଼ିକୁ ପୃଥକୀକରଣ, ବିଳମ୍ବକୁ ହ୍ରାସ ଓ ସାମଗ୍ରିକ ରୁଟ୍ ଦକ୍ଷତାକୁ ଉନ୍ନତ କରିବାରେ ସହାୟତା ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।