କଟକ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ପରିବାର ଲୋକେ ଆଜି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି। ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବାକୁ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିକଟରେ ଲିଖିତ ଦାବି ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଫେବ୍ରୁଆରି ୧ ତାରିଖରେ ସୂଚନା ଅଧିକାର କର୍ମୀ ରଂଜନ ଦାସଙ୍କ ମୃତଦେହ ମାର୍ଶାଘାଇ ପୁଲିସ ଥାନା ଅଧୀନସ୍ଥ ବେରୁହାଁ ରାସ୍ତା ନିକଟରୁ ଜବତ କରାଯାଇଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଦର୍ଶାଇ ପରିବାର ତରଫରୁ ତଦନ୍ତ ଦାବି କରାଯାଇଥିଲା। କିନ୍ତୁ କେନ୍ଦ୍ରାପଡ଼ା ପୁଲିସ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରୁଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଫେବ୍ରୁଆରି ୧୦ ତାରିଖ ଏବଂ ମାର୍ଚ୍ଚ ୧୩ ତାରିଖରେ ପୁଲିସ ଡିଜିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଥିଲା। ଗଲା ମେ ମାସରେ ରଂଜନଙ୍କ ବାପା ଲକ୍ଷ୍ମୀଧର ଦାସ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ତଦନ୍ତ ଦାବି କରିଥିଲେ। କିନ୍ତୁ କୌଣସି ପ୍ରକାର ଅଗ୍ରଗତି ହେଲା ନାହିଁ। ଆଜି ପରିବାର ଲୋକଙ୍କ ସହିତ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ବରେ ବରିଷ୍ଠ ଆଇନଜୀବୀ ତଥା ଓସାର ଉପଦେଷ୍ଟା ସୁଧୀର ମହାନ୍ତି, ଦେବେଶ ଦାସ, ଜିତେନ୍ଦ୍ର ସାହୁ, ଶ୍ରୀକାନ୍ତ ପାକଳ, ପ୍ରତାପ ମହାନ୍ତି ଏକ ପ୍ରତିନିଧିଦଳ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।