ରଞ୍ଜନ ଦାସଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ଲକ୍‌ଡାଉନ୍‌ ପରେ କ୍ରାଇମବ୍ରାଞ୍ଚ ତଦନ୍ତ!

କଟକ : କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବାକୁ ଯୋଜନା କରାଯାଉଛି। ଏବେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲ୍ଲା ପୁଲିସକୁ ପୂରା ମାମଲାର ତଦନ୍ତ ରିପୋର୍ଟ ମଗାଯାଇଛି। ପରିବାର ଲୋକ ଏବଂ ସାକ୍ଷୀଙ୍କ ବୟାନକୁ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ପୁନଃ ଯାଞ୍ଚ କରି ଲକ୍‌ଡାଉନ୍‌ ପରେ ତଦନ୍ତଭାର ଗ୍ରହଣ କରିବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗଲା ଫେବ୍ରୁଆରି ୧ ତାରିଖରେ କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାଶଙ୍କ ମୃତଦେହ ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁଆଁ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଅପରାଧୀମାନେ ପରିବାର ଲୋକଙ୍କୁ ଧମକ ଦେବା ସହିତ ପ୍ରଭାବିତ କରିଥିବା ସଂକ୍ରାନ୍ତରେ ରଞ୍ଜନଙ୍କ ବାପା ଲକ୍ଷ୍ମୀଧର ଦାସ ପାଟକୁରା ଥାନାରେ ଫେବ୍ରୁଆରି ୧୩ ଓ ୧୬ ତାରିଖରେ ଦୁଇଟି ପୃଥକ ଅଭିଯୋଗ କରିଥିଲେ।

ଏଭଳି ସ୍ଥିତିରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଏକ ପ୍ରତିନିଧି ଦଳ ମୃତ ରଞ୍ଜନଙ୍କ ବାପାଙ୍କ ସହ ଲକ୍ଷ୍ମୀଧର ଆଜି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଜିଲ୍ଲା ପୁଲିସ ଘଟଣାର ତଦନ୍ତ କରିଥିବାବେଳେ ଏବେ ତାଙ୍କଠାରୁ ଘଟଣାର ତଦନ୍ତ ରିପୋର୍ଟ ମଗାଯିବ। ଯଦି ସନ୍ତୋଷଜନକ ନୁହେଁ, ତେବେ ମାମଲାର ତଦନ୍ତଭାର ଗ୍ରହଣ କରି ଉଚିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ଆଜି ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଥିଲା। ପୁଲିସ ଡିଜି ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ କହିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଆଜି ତଦନ୍ତ ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ, ଜିତେନ୍ଦ୍ର ସାହୁ, ଶ୍ରୀକାନ୍ତ ପାକଳ, ପ୍ରତାପ ମହାନ୍ତି, ମନୋରଞ୍ଜନ ଜେନା ପ୍ରମୁଖ ପ୍ରତିନିଧି ଦଳରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର