କଟକ: ଟାଙ୍ଗୀସ୍ଥିତ ଡ୍ରିମ୍ସ ଖେଳ ପଡ଼ିଆରେ ଚାଲିଥିବା ଓଡ଼ିଶା-ଜମ୍ମୁ କଶ୍ମୀର ମୁକାବିଲା ରୋମାଞ୍ଚକ ସ୍ଥିତିରେ ରହିଛି। ସୋମବାର ଅନ୍ତିମ ଦିବସରେ ବିଜୟ ପାଇଁ ଓଡ଼ିଶାକୁ ୬ ୱିକେଟ୍ ଓ ଜମ୍ମୁ କଶ୍ମୀରକୁ ଆଉ ୭୭ ରନ୍ ଆବଶ୍ୟକ ରହିଛି। ସନ୍ଦୀପ ପଟ୍ଟନାୟକଙ୍କ ଅପରାଜିତ ଶତକ ଓ ରାଜେଶ ମହାନ୍ତିଙ୍କ ୮ ୱିକେଟ୍ ସତ୍ତ୍ବେ ଓଡ଼ିଶା ଆଶଙ୍କା ଭିତରେ ରହିଛି। ଓଡ଼ିଶା ଦ୍ବିତୀୟ ପାଳିରେ ସମସ୍ତ ୱିକେଟ୍ ହରାଇ ୧୯୮ ରନ୍ କରିବାରୁ ଭ୍ରମଣକାରୀ ଦଳ ସମ୍ମୁଖରେ ୧୪୯ ରନ୍ର ବିଜୟ ଲକ୍ଷ୍ୟ ରହିଛି। ଜମ୍ମୁ କଶ୍ମୀର ରବିବାର ତୃତୀୟ ଦିନ ଖେଳ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୪ ୱିକେଟ୍ ହରାଇ ୭୨ ରନ୍ ସଂଗ୍ରହ କରିଥିଲା।
ରବିବାର ସକାଳେ ଓଡ଼ିଶା ପୂର୍ବଦିନର ସ୍କୋର୍ ୧୨୬/୭ରୁ ଖେଳିବା ପରେ ସନ୍ଦୀପ ପଟ୍ଟନାୟକଙ୍କ ଲଢ଼ୁଆ ଶତକ (୧୦୦*, ୧୮୭ ବଲ୍, ୧୭ ଚୌକା) ବଳରେ ୧୯୮ ରନ୍ କରି ନେଇଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ (୨୭ ବଲ୍ରୁ ୨୭ ରନ୍)ଙ୍କ ସହ ମିଶି ସେ ଅଷ୍ଟମ ୱିକେଟ୍ ପାଇଁ ୫୯ ରନ୍ ଯୋଡ଼ିବାରୁ ଓଡ଼ିଶା ପ୍ରତ୍ୟାବର୍ତ୍ତନ ସୁଯୋଗ ପାଇଛି। ସନ୍ଦୀପ ନିଜ ଖେଳ ଜୀବନର ତୃତୀୟ ରଣଜୀ ଶତକ ସହିତ ଏହି ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ମଧ୍ୟ ୧୦୦୦ ରନ୍ ପୂର୍ଣ୍ଣ କରିଛନ୍ତି। ୨୪ତମ ମ୍ୟାଚ୍ ଓ ୪୦ତମ ପାଳି ଶେଷରେ ସେ ୧୦୩୦ ରନ୍ ସଂଗ୍ରହ କରିଛନ୍ତି। ଏଥି ସହିତ ପ୍ରଥମ ପାଳି ଶୂନକୁ ମଧ୍ୟ ଭୁଲି ଯାଇଛନ୍ତି। ପ୍ରଥମ ପାଳିରେ ୫୦ ରନ୍ ଆଗୁଆ ଥିବାରୁ ଜମ୍ମୁ କଶ୍ମୀର ସମ୍ମୁଖରେ ୧୪୯ ରନ୍ ଧାର୍ଯ୍ୟ ରହିଥିଲା। ତେବେ ରାଜେଶଙ୍କ ଘାତକ ବୋଲିଂ କାରଣରୁ ଭ୍ରମଣକାରୀ ଦଳ ୩୯/୪ରେ ସଂଘର୍ଷ କରିଥିଲା। ପ୍ରଥମ ୩ ଜଣଙ୍କୁ ରାଜେଶ ପ୍ୟାଭିଲିଅନ୍ ଫେରିଥିବା ବେଳେ ସୁନିଲ ରାଉଳ ଚତୁର୍ଥ ୱିକେଟ୍ ଦଖଲ କରିଥିଲେ। କିନ୍ତୁ ଆକ୍ବିବ୍ ନବି (୨୦*, ୩୪ ବଲ୍) ଓ ଅବଦୁଲ ସମଦ (୨୪*, ୨୯ ବଲ୍) ଅତୁଟ ପଞ୍ଚମ ୱିକେଟ୍ରେ ୩୩* ରନ୍ ଯୋଡ଼ି ଜମ୍ମୁ କଶ୍ମୀର ଆଶା କାଏମ ରଖିଛନ୍ତି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୩୦ (ଗୋବିନ୍ଦ ପୋଦ୍ଦାର-୫୫, ଶାନ୍ତନୁ ମିଶ୍ର-୨୮, ରୋହିତ ଶର୍ମା-୫/୧୨)। ଜମ୍ମୁ କଶ୍ମୀର ପ୍ରଥମ ପାଳି: ୧୮୦ (ଅବିଦ୍ ମୁସ୍ତାକ-୫୦, ରାଜେଶ ମହାନ୍ତି-୫/୬୪, ସୁନିଲ ରାଉଳ-୩/୩୨, ପ୍ରୟାସ ସିଂହ-୧/୩୦)। ଓଡ଼ିଶା ଦ୍ବିତୀୟ ପାଳି: ୬୭ ଓଭରରେ ୧୯୮/୧୦ (ସନ୍ଦୀପ ପଟ୍ଟନାୟକ-୧୦୦*, ସୂର୍ଯ୍ୟକାନ୍ତ ପ୍ରଧାନ-୨୭, ଆକ୍ବିବ୍ ନବି-୪/୭୩, ଉମର ନଜିର ମିର୍-୩/୩୬, ରୋହିତ ଶର୍ମା-୨/୩୦, ଉମ୍ରାନ ମଲ୍ଲିକ-୧/୩୪)। ଜମ୍ମୁ କଶ୍ମୀର ଦ୍ବିତୀୟ ପାଳି: (ଲକ୍ଷ୍ୟ ୧୪୯): ୨୩.୨ ଓଭରରେ ୭୨/୪ (ଶୁଭମ ପୁନ୍ଦୀର-୧୮, ଅବଦୁଲ ସମଦ-୨୪*, ଆକ୍ବିବ ନବି-୨୦*, ରାଜେଶ ମହାନ୍ତି-୩/୨୯, ସୁନିଲ ରାଉଳ-୧/୧୭)।