ବିଡ଼ାନାସୀ ବନ୍ଧରେ ବନ୍ଧୁକ-ଗୁଳି ପ୍ୟାକେଟ୍‌ ନେଇଥିଲେ ରଂଜିତା

ଅଭିଯୁକ୍ତ ସହରରୁ ଖସି ପାର୍‌, ପୁଲିସ୍‌ ଜଗାଇଛି ଖବରୀ

କଟକ : କର୍ପୋରେଟର୍‌ ରଞ୍ଜିତା ବିଶ୍ୱାଳଙ୍କୁ ବଂଧୁକ ଓ ଗୁଳି ପ୍ୟାକେଟ୍‌ ଯୋଗାଇ ଥିବା ଅଭିଯୁକ୍ତ ଏଯାଏ ଧରା ପଡିନି। ଅନ୍ୟପଟେ ସଂପୃକ୍ତ ଅଭିଯୁକ୍ତ ରଂଜିତାଙ୍କୁ ଫୋନ୍‌ କରି ବିଡାନାସୀ ବନ୍ଧକୁ ଡାକିଥିଲା ଏବଂ ଭାଇ ବାହାଘର ପାଇଁ କାର୍ଡ ବାଣ୍ଟୁଥିବା ରଂଜିତା ଅଧାରୁ ସେଠାକୁ ଆସି ତା’ଠୁ ପ୍ୟାକେଟ୍‌ ନେଇଥିଲେ। ସେହି ପ୍ୟାକେଟ୍‌ ଭିତରେ ବଂଧୁକ ଓ ଗୁଳି ରହିଥିଲା। ସୁଶାନ୍ତ ଧଳସାମନ୍ତ ଏହି ପ୍ୟାକେଟ୍‌ ଦେଇଛନ୍ତି ବୋଲି ସଂପୃକ୍ତ ବ୍ୟକ୍ତି କହିବା ସହ ଅନ୍ୟ ସୂଚନା ଦେଇ ସେଠାରୁ ପାର୍‌ ହୋଇଯାଇଥିଲା। କିନ୍ତୁ ପୂର୍ବରୁ ଏ ସଂପର୍କରେ ରଂଜିତା ଜାଣି ନଥିଲେ ବୋଲି କୁହାଯାଉଛି। ରଂଜିତା ପୁଲିସ ରିମାଣ୍ଡରେ ରହି ଚୌଦ୍ୱାର ଜେଲ୍‌କୁ ଫେରିବାର ଏକ ସପ୍ତାହ ପରେ ବି ବନ୍ଧୁକ ଯୋଗାଇଥିବା ଧଳସାମନ୍ତର ସହଯୋଗୀ ବନ୍ଧୁକ ବେପାରୀ ପୁଲିସ ହାତରେ ଧରା ପଡିିନି। ଗିରଫ ଭୟରେ ସେ ସହର ଛାଡ଼ି ଫେରାର ହୋଇଯାଇଥିବା କୁହାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ବନ୍ଧୁକ ଦେଇଥିବା ଅପରାଧୀ ଜଣକ କିଏ? ସେ ସମ୍ପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସମ୍ପୃକ୍ତ ଅପରାଧୀର ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ରଞ୍ଜିତା ପୂର୍ବରୁ ତାକୁ କେବେ ଦେଖିନଥିବା କିମ୍ବା ଚିହ୍ନିନଥିବା କହୁଥିବା ବେଳେ ପୁଲିସ ରଞ୍ଜିତାଙ୍କ କଥାକୁ ସହଜରେ ବିଶ୍ୱାସ କରିପାରୁ ନାହିଁ। ସୁଶାନ୍ତର କହିବା ଅନୁସାରେ ରଞ୍ଜିତାଙ୍କୁ ଫୋନ୍‌ କରି ବିଡାନାସୀ ବନ୍ଧ ନିକଟକୁ ଉକ୍ତ ବେପାରୀ ଡାକିଥିଲା। ରଞ୍ଜିତା ପହଞ୍ଚିବା ପରେ ତାଙ୍କୁ ପାର୍ସଲ୍‌ରେ ଥିବା ବନ୍ଧୁକ ଓ ଗୁଳି ଦେଇଥିଲା।

ଏବେ ପୁଲିସ ଟାର୍ଗେଟ୍‌ରେ ସେହି ବନ୍ଧୁକ ବେପାରୀ ରହିଛି। ତା’ ବିରୋଧରେ କଟକ କମିସନରେଟ୍‌ ପୁଲିସରେ ଏକାଧିକ ଅପରାଧୀକ ମାମଲା ରୁଜୁ ହୋଇଥିବା କୁହାଯାଉଛି। ଧଳସାମନ୍ତ ସହିତ ମଧ୍ୟ ବିଭିନ୍ନ ଅପରାଧିକ ମାମଲାରେ ସେ ଜଡ଼ିତ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ରଞ୍ଜିତା ସଦା ନାୟକ ଜରିଆରେ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକକୁ ବନ୍ଧୁକ ଦେଇଥିବା ସମ୍ପର୍କରେ କହିଥିଲେ ସୁଦ୍ଧା ବନ୍ଧୁକ ପାର୍ସଲ ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ନଦେବା, ପୁଲିସକୁ ଅଡ଼ୁଆରେ ପକାଇଛି। ଅନ୍ୟପଟେ ଧଳସାମନ୍ତର ଚାରି ଜଣ ସହଯୋଗୀ ମଧ୍ୟ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ସେମାନଙ୍କୁ ବି ପୁଲିସ ଆଜି ପର୍ଯ୍ୟନ୍ତ ଧରିପାରିଲା ନାହିଁ। ଏବେ ସଦର ଥାନା ପୁଲିସ ଉଭୟ ବନ୍ଧୁକ ବେପାରୀ ଏବଂ ଧଳସାମନ୍ତଙ୍କ ସହଯୋଗୀଙ୍କୁ ଧରିବାକୁ ପଡ଼ୋଶୀ ଜିଲ୍ଲାରେ ଖବରୀ ନିଯୁକ୍ତ କରିଛି। ସେମାନଙ୍କୁ ଗିରଫ କରାଯିବା ପରେ ପୁଣି ଥରେ ରଞ୍ଜିତା ଏବଂ ସୁଶାନ୍ତଙ୍କୁ ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର