ବନ୍ଧୁ ରଣଜିତ୍ ଗୁରୁ ଓଡ଼ିଶାର ସାମ୍ବାଦିକ ଜଗତରେ ଜଣେ ଅବିସ୍ମରଣୀୟ ସ୍ରଷ୍ଟା। ଚାହୁଁ ଚାହୁଁ ପାଞ୍ଚବର୍ଷ ବିତିଗଲା। ଆଜି ସେ ଅତୀତ, ଦିବଂଗତ। ତାଙ୍କର ସ୍ମୃତି କିନ୍ତୁ ଅପାସୋରା। ମୋ ମତରେ ସେ ଏକ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଚେତନାର ଅନୁଷ୍ଠାନ। ସେ ଜଣେ କ୍ରାନ୍ତିକାରୀ ସାମ୍ବାଦିକ ଓ ସ୍ତମ୍ଭକାର ଥିଲେ। ସେ ସମୟର ରାଜନୀତିକ ଏବଂ ସାମାଜିକ ଘଟଣା ଉପରେ ଶ୍ରଦ୍ଧେୟ ରଣଜିତ୍ ଗୁରୁଙ୍କର ସୂକ୍ଷ୍ମ, ସରଳ ବିଶ୍ଳେଷଣ ଓ ଦୃଷ୍ଟିଭଙ୍ଗୀରେ ଉପସ୍ଥାପନା ଅତ୍ୟନ୍ତ ଅନନ୍ୟ ଓ ନିଆରା। ‘ସମ୍ବାଦ’ରେ ପ୍ରକାଶିତ ‘ଅପ୍ରସଙ୍ଗ’ ଶୀର୍ଷକରେ କେତୋଟି ପ୍ରବନ୍ଧର ସଂକଳିତ ‘ବିଡ଼ମ୍ବିତ ଦଶନ୍ଧି’ ପୁସ୍ତକ ଏହାର ପ୍ରମାଣ ଦିଏ। ତାଙ୍କର ଇଂରାଜୀ ପୁସ୍ତକ (‘ଅପ୍ରସଙ୍ଗ’ରେ ପ୍ରକାଶିତ କେତୋଟି ପ୍ରବନ୍ଧର ଇଂରାଜୀ ଅନୁବାଦ) ‘Odisha: A Decade of Missed Opportunities’। ଏହି ପୁସ୍ତକଟିକୁ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଥିଲେ।
ରଣଜିତ୍ ଗୁରୁଙ୍କର ପ୍ରତ୍ୟେକ ଲେଖା ସମସାମୟିକ ରାଜନୀତିକ ପରିବେଶର ଏକ ଜୀବନ୍ତ ଦଲିଲ ଓ ଅଗାମୀ ଦିନ ପାଇଁ ଏକ ମାର୍ମିକ ଇତିହାସ’ର ଫର୍ଦ୍ଦ। ଭବିଷ୍ୟତରେ ଯଦି କିଏ କେବେ ‘ନବୀନ ସରକାରର ମାର୍ମିକ ଇତିହାସ’ ଉପରେ ଗୋଟିଏ ବହି ରଚନା କରେ ସେଇ ଲେଖାଗୁଡ଼ିକର ପ୍ରାସଙ୍ଗିକତା ନିଶ୍ଚିତ ଭାବରେ ପରିଲକ୍ଷିତ ହେବ। ଓଡ଼ିଶା ରାଜନୀତିକ ଜଗତର ଜଣେ ଅଦ୍ବିତୀୟ ଭାଷାକାର ଭାବେ ସେ ନିଶ୍ଚୟ ଅମର ହୋଇ ରହିବେ। ଆଜି ବନ୍ଧୁ ରଣଜିତ୍ ଗୁରୁ ଆମ ପାଇଁ ସ୍ମୃତିଟିଏ। ସେ ସ୍ମୃତି କିନ୍ତୁ ଚିରନ୍ତନ, ଶାଶ୍ବତ ଓ ସଜେତ। ଆକାଶର ଜହ୍ନ ଆଜି ଯାଇ କାଲି ଫେରିପାରେ। ମାତ୍ର ସେ ଆଉ ଫେରିବେ ନାହିଁ। ଏଇ ନିଷ୍ଠୁର ସତ୍ୟକୁ ଆମେମାନେ ଦୀର୍ଘ ପାଞ୍ଚବର୍ଷ ହେଲା ସହିଯାଇଛୁ ଓ ଆଗକୁ ମଧ୍ୟ ଆମମାନଙ୍କୁ ସହିଯିବାକୁ ହେବ। ତାଙ୍କର ପୁଣ୍ୟ ସ୍ମୃତିକୁ ସ୍ମରଣ କରି ନମ୍ରତାର ସହିତ ଆଜି ତାଙ୍କର ଅମରଆତ୍ମା ପ୍ରତି ଲୋତକପୂର୍ଣ୍ଣ ନୟନରେ ଜର୍ମାନୀରୁ ଅୟୁତ ଅୟୁତ ପ୍ରଣାମ କରୁଛି। ମୋ ଜୀବନରେ ସେ ଏକ ଅଭୁଲା ଅଧ୍ୟାୟ। ଏପରି ଜଣେ ବ୍ୟକ୍ତି ସଦା ବନ୍ଦନୀୟ, ସ୍ମରଣୀୟ ଓ ଅନୁକରଣୀୟ।
ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ
[email protected]