ରଣଜିତ ଗୁରୁ ସ୍ମାରକୀ ୱେବିନାର୍‌ : ମତ ରଖିଲେ ଦେଶବିଦେଶର ବୁଦ୍ଧିଜୀବୀ

ଭୁବନେଶ୍ୱର : କୁଆଁପାଳସ୍ଥିତ ଜବାହରଲାଲ ନେହରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଓ ସେଣ୍ଟର୍‌ ଫର୍ ଟ୍ରାଇବାଲ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓଡ଼ିଶା ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ଅନ୍ତର୍ଜାତୀୟ ସମ୍ପାନ ତୃତୀୟ ଓ ଚତୁର୍ଥ ସୋପାନ ଶନିବାର ଓ ରବିବାର ଦିନ ଆୟୋଜିତ ହୋଇଯାଇଛି।

ଆଜି ଅନୁଷ୍ଠିତ ସମ୍ପାନର ଚତୁର୍ଥ ସୋପାନରେ ବକ୍ତା ଭାବେ ସୁଦୂର ସ୍ବିଡେନ୍‌ରୁ ଖ୍ୟାତନାମା ଭାଷାବିତ୍‌ ପ୍ରଫେସର୍‌ ତୋଭ ସ୍କୁତନାଭ କଂଗସ ଯୋଡ଼ି ହୋଇ ମାତୃଭାଷାର ବିକାଶ ଓ କିପରି ଭାବେ ତୃତୀୟ ବିଶ୍ବର ଦେଶମାନଙ୍କ ଉପରେ ଇଂରାଜୀ ଭାଷାକୁ ଲଦି ଦିଆଯାଇଛି, ତାହା ଉପରେ ଆଲୋକପାତ କରିଥିଲେ। ଶିକ୍ଷା, ସଂସ୍କୃତି ଓ ସାମାଜିକ ବିକାଶ କ୍ଷେତ୍ରରେ ମାତୃଭାଷାର ଗୁରୁତ୍ୱ ସବୁବେଳେ ସର୍ବାଗ୍ରେ ବୋଲି ସେ କହିଥିଲେ। ଏଥିସହ ପ୍ରଫେସର୍‌ କଂଗସ ଏହି ଆୟୋଜନ ମାଧ୍ୟମରେ ଓଡ଼ିଆ ବୁଦ୍ଧିଜୀବୀମାନଙ୍କ ସହ ଯୋଡ଼ି ହୋଇଥିବାରୁ କାର୍ଡର ନିର୍ଦେଶକ ଓ ଜେ.ଏନ୍‌. କଲେଜର ଅଧ୍ୟକ୍ଷ ଓ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଫେସର୍‌ ଶରତ ଚନ୍ଦ୍ର ପ୍ରଧାନ, ଅଧ୍ୟାପିକା ପାୟଲ ଅଗ୍ରୱାଲ, ଅଧ୍ୟାପକ ଶୁଭମ ଦାଶ ଓ ରୁଦ୍ରନାରାୟଣ ଦାଶ ପରିଚାଳନା କରିଥିଲେ।

ଗତକାଲି ସମ୍ପାନର ତୃତୀୟ ସୋପାନରେ ‘ଓଡ଼ିଶା ଉପରେ ଜଗତୀକରଣର ପ୍ରଭାବ’ ଶୀର୍ଷକ ବିଷୟବସ୍ତୁ ଉପରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଥିଲେ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଅର୍ଥନୀତିଜ୍ଞ ପ୍ରଫେସର କୁମରବର ଦାସ ଯୋଗଦେଇ ଆଧୁନିକ ପୁଞ୍ଜିବାଦୀ ବ୍ୟବସ୍ଥା ଦ୍ୱାରା ପରିଚାଳିତ ଅସମତୁଲ ବିକାଶ ପ୍ରକ୍ରିୟାକୁ ସମାଲୋଚନା କରିଥିଲେ। ଏଥିସହ ଆଧୁନିକ ବିକାଶ ପ୍ରକ୍ରିୟା କିଭଳି ଆଦିବାସୀ ଓ ଅବହେଳିତ ସମୁଦାୟର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଲୋକଭିୁମୁଖୀ ହୋଇପାରିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଅମେରିକାନ ୟୁନିଭର୍ସିଟି ଅଫ ବେରୁଟ, ଲେବାନନର ପ୍ରଫେସର୍‌ ଦିଗମ୍ବର ପାତ୍ର ଯୋଗଦେଇ କେବିକେ ଅଞ୍ଚଳରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ଏନ୍ଆଇଟି ଭଳି ଶିକ୍ଷାନୁଷ୍ଠାନର ଗୁରୁତ୍ୱ ଓ ଜଗତୀକରଣ ପ୍ରକ୍ରିୟାରେ ବୃହତ ଶିଳ୍ପର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଶୁଭେନ୍ଦୁ ସେନାପତି ବିଦେଶକୁ କଞ୍ଚାମାଲ ରପ୍ତାନି କରିବା ପରିବର୍ତ୍ତେ ଭାରତ ନିଜସ୍ୱ ଶିଳ୍ପ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କହିଥିଲେ। ଆବାହକ ପ୍ରଫେସର୍‌ ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂଯୋଜିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ, ଅଧ୍ୟାପକ ରୁଦ୍ର ନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଶୁଭମ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର