ରଣଜିତ ଗୁରୁଙ୍କ ବିୟୋଗରେ ‘ସମ୍ବାଦ’ ପରିବାର ଜଣେ ଗୁରୁଜନଙ୍କୁ ହରାଇଲା। ମନେହେଉଛି ‘ସମ୍ବାଦ’ ଯୌଥ ପରିବାରର ବଡ଼ପୁଅ ଚାଲିଗଲେ। ୩୫ ବର୍ଷ ତଳେ ମୁଁ ଯେତେବେଳେ ବିଦେଶରୁ ଫେରି ‘ସମ୍ବାଦ’ ପ୍ରକାଶନ ପାଇଁ ଯୋଜନା କରୁଥିଲି, ସେତେବେଳେ ବହୁ ଯୁବବନ୍ଧୁ ମୋ ସହିତ ଯୋଗ ଦେଇଥିଲେ। ରଣଜିତ ଏହି ପ୍ରତିଷ୍ଠାତା ସଭ୍ୟମାନଙ୍କ ମଧ୍ୟରୁ ଜଣେ। ସେତେବେଳେ ‘ସମ୍ବାଦ’ ପରିବାରର ହାରାହାରି ବୟସ ୨୮ ବର୍ଷ ଥିଲା। ଆଜି ‘ସମ୍ବାଦ’ ପରିବାର ଯେଉଁ ଈର୍ଷଣୀୟ ସଫଳତା ଉପଭୋଗ କରୁଛି, ତା’ର ଶ୍ରେୟ ଯେଉଁ କେତେଜଣଙ୍କୁ ଦିଆଯିବା କଥା, ସେମାନଙ୍କ ମଧ୍ୟରୁ ରଣଜିତ ଗୁରୁ ଅନ୍ୟତମ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଅନେକ ବୃତ୍ତିରେ ଯୋଗଦେବା ପାଇଁ ସୁଯୋଗ ଥିଲେ ମଧ୍ୟ ସେ ସ୍ବଇଚ୍ଛାରେ ସାମ୍ବାଦିକତାକୁ ବାଛିଥିଲେ ଏବ˚ ସେହି ବୃତ୍ତିରେ ସଫଳତାର ଶୀର୍ଷତମ ସୋପାନକୁ ଯାଇ ପାରିଥିଲେ।

Advertisment

ସମ୍ବଲପୁର ସହରରୁ ସାମ୍ବାଦିକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରି ‘ସମ୍ବାଦ’ର ଦୀର୍ଘ ଜୟଯାତ୍ରାରେ ସେ ଜଣେ ସହଯାତ୍ରୀ ଭାବେ ଶେଷ ପର୍ଯ୍ୟନ୍ତ କେବଳ ରହିନାହାନ୍ତି, ସହଯୋଗୀମାନଙ୍କୁ ନେତୃତ୍ବ ଦେଇ ଆସିଛନ୍ତି। ‘ସମ୍ବାଦ’ର ପିଲାଦିନ ଆଦୌ ସହଜ ନ ଥିଲା। ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦିଆଯାଇଛି, ତାକୁ ସେ ସାଦରେ ଗ୍ରହଣ କରିଛନ୍ତି। ୧୯୯୦ ମସିହାରେ ଅବକ୍ଷୟମୁଖୀ ‘ସମ୍ବାଦ’ର ଶେଷ ସମୟ ଆସିଗଲା ବୋଲି ଯେତେବେଳେ ସମସ୍ତେ କହିବାକୁ ଆରମ୍ଭ କରିଥିଲେ, ସେତେବେଳେ ରାଉରକେଲାରୁ ଦ୍ବିତୀୟ ଆଞ୍ଚଳିକ ସ˚ସ୍କରଣର ଦାୟିତ୍ବ ନେବାକୁ ସେ ଆଗେଇ ଆସିଥିଲେ। ତାଙ୍କର ନେତୃତ୍ବରେ ‘ସମ୍ବାଦ’ର ରାଉରକେଲା ସ˚ସ୍କରଣ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ସ˚ସ୍କରଣର ଶୁଭ ଉନ୍ମୋଚନ ଦିନ ବିଜୁବାବୁଙ୍କର ନୂଆ ସରକାର ଆମର ଭୁବନେଶ୍ବର ଅଫିସ୍‌ ଉପରେ ଭିଜିଲାନ୍‌ସ୍‌ ଚଢ଼ାଉ କରିଥିଲା। ଓଡ଼ିଆ ଖବରକାଗଜ ଇତିହାସରେ ଏହା ସମ୍ଭବତଃ ଏପର୍ଯ୍ୟନ୍ତ ଏକମାତ୍ର ଘଟଣା। ଆଜିର ନୂତନ ସହଯୋଗୀମାନେ ସେ ସମୟର ପରିସ୍ଥିତିକୁ ହୁଏତ ବୁଝିପାରିବେ ନାହିଁ, କିନ୍ତୁ ନୂଆ ଦାୟିତ୍ବ ନେଇଥିବା ଗୁରୁବାବୁଙ୍କୁ ସେଦିନ ମୁଁ ଆଦୌ ବିବ୍ରତ ହେବା ଦେଖି ନ ଥିଲି। ବର˚ ଏ ଆହ୍ବାନକୁ ମୁକାବିଲା କରିବା ପାଇଁ ସେ ସାହସ ଜୁଟାଇଥିଲେ। ପରେ ସେ କିଡ୍‌ନି ଜନିତ ରୋଗର ଶିକାର ହେବା ପରେ ତାଙ୍କୁ ଆମେ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥାନାନ୍ତରିତ କରିଥିଲୁ। ଶେଷରେ ତାଙ୍କ ଭାଇଙ୍କଠାରୁ ଏକ କିଡ୍‌ନି ପ୍ରତିରୋପଣ କରି ସେ ଭୁବନେଶ୍ବର ଫେରି ଆସିଥିଲେ। ସେଇଦିନଠାରୁ ଭୁବନେଶ୍ବରର ମୁଖ୍ୟ କାର୍ଯ୍ୟାଳୟରେ ‘ସମ୍ବାଦ’ର ବିଭିନ୍ନ ସ˚ପାଦକୀୟ ବିଭାଗର ଦାୟିତ୍ବରେ ରହିଆସିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଅଯଥା ଚାପ ଦେବାକୁ ଆମେ ଚାହୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଆଳକରି ସେ କର୍ତ୍ତବ୍ୟରେ କେବେ ହେଳା କରିନାହାନ୍ତି।

‘ସମ୍ବାଦ’ର ସ˚ପାଦକୀୟ ପୃଷ୍ଠା ହେଉ ବା ସୁପ୍ରଭାତ, ଖେଳ ହେଉ ବା ବିଶେଷ ସ୍ତମ୍ଭ, ସବୁଥିରେ ତାଙ୍କର ଛାପ ଥିଲା। ସ˚ପାଦକୀୟ ପୃଷ୍ଠାଟି ଆଜି ଅଧିକ ଗ୍ରହଣୀୟ ହେବା ପଛରେ ଗୁରୁବାବୁଙ୍କର ଅବଦାନକୁ ଭୁଲିହେବ ନାହିଁ। ତାଙ୍କର ନିୟମିତ ସ୍ତମ୍ଭ ‘ଅପ୍ରସଙ୍ଗ’ ଛଡ଼ା ନିଜକୁ ବିଜ୍ଞାପିତ କରିବା ପାଇଁ ଅନ୍ୟମାନଙ୍କ ଭଳି ସୁଯୋଗ ନ ଥିଲା। କିନ୍ତୁ ‘କନକ ନ୍ୟୁଜ୍‌’ ଆରମ୍ଭ ହେବା ପରେ ଜଣେ ଭାଷ୍ୟକାର ଭାବେ ସେ ତାଙ୍କର ନୂଆ ପରିଚୟ ସୃଷ୍ଟି କରିଥିଲେ। ‘ଅପ୍ରସଙ୍ଗ’ର ପାଠକ ପାଠିକାଙ୍କଠାରୁ ଏକ ବୃହତ୍ତର ଦର୍ଶକ-ସମାଜ ପାଖରେ ପହଞ୍ଚି ପାରିଥିଲେ। ତାଙ୍କର ତଥ୍ୟ ଓ ଯୁକ୍ତି ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରୁଥିଲା। ଆଜି ତାଙ୍କର ଅବର୍ତ୍ତମାନରେ ଯେଉଁସବୁ ସମବେଦନା ଓ ବାର୍ତ୍ତାମାନ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଦେଉଛନ୍ତି, ତାହା ତାଙ୍କର ବହୁମୁଖୀ ପ୍ରତିଭା ଓ ବ୍ୟକ୍ତିତ୍ବକୁ ପ୍ରମାଣିତ କରୁଛି ମାତ୍ର। ମେଧାବୀ ଛାତ୍ର, ନାଟକପ୍ରେମୀ, ସ୍ବଳ୍ପ ଓ ମିଷ୍ଟଭାଷୀ ଏବ˚ ସ୍ବାଭିମାନୀ। ତାଙ୍କ ବ୍ୟକ୍ତିତ୍ବର ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା ଯେ ସେ ଅଜାତଶତ୍ରୁ ଥିଲେ। ସାମ୍ବାଦିକତା ଭଳି ବୃତ୍ତିରେ ଥାଇ ଏଭଳି ହୋଇପାରିବା ବହୁତ କମ୍‌ ଲୋକଙ୍କ ଭାଗ୍ୟରେ ଜୁଟେ।