ଗାର୍ଗୀ ଶତପଥୀ
ସମ୍ବଲପୁର: ଋତୁସ୍ରାବର ପ୍ରଥମ ଦିନ ଏତେ ଯନ୍ତ୍ରଣା ହୁଏ ଯେ ଔଷଧ ଖାଇଲେ ମଧ୍ୟ କିଛି ଉପଶମ ହୁଏନି। ଏଥିପାଇଁ କେତେ ସାଲାଇନ୍ ନେଇଛି, ତା’ର ଠିକଣା ନାହିଁ। ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କଠାରୁ ଔଷଧ ମଧ୍ୟ ଖାଇଛି। ସବୁ ଝିଅଙ୍କ ଭଳି ମୋ ପାଇଁ ଥିଲା ଏହା ଏକ କଷ୍ଟସାଧ୍ୟ ଅନୁଭୂତି, ଯାହାକୁ ମୁଁ ସହିବାକୁ ବାଧ୍ୟ ଥିଲି। କିନ୍ତୁ ଋତୁସ୍ରାବ କଷ୍ଟ ଯୋଗୁଁ ଚାକିରି ହରାଇବା ପରେ ଏହି ଦିନରେ ଛୁଟିର ଆବଶ୍ୟକତାକୁ ମର୍ମେ ମର୍ମେ ଅନୁଭବ କରିଥିଲି। ଏଥିପାଇଁ ୨୦୨୨ ମସିହାରୁ ଲଗାତାର ଅଭିଯାନ ପରେ ଚଳିତବର୍ଷ ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ସରକାରଙ୍କ ଛୁଟି ଘୋଷଣା ନିଷ୍ପତ୍ତି ତାଙ୍କୁ ଅଜସ୍ର ଖୁସି ଆଣି ଦେଇଛି। ତେବେ ଏତିକିରେ ଅଭିଯାନ ସରିନି। ଆହୁରି ଅନେକ କାମ ବାକି ରହିଛି ବୋଲି କହିଛନ୍ତି ଋତୁସ୍ରାବଜନିତ ଛୁଟି ଅଭିଯାନର ଯୋଦ୍ଧା ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ।
ରଞ୍ଜିତା ୨୦୨୨ ମସିହା ବେଳକୁ ଏକ ବହୁରାଷ୍ଟ୍ରୀୟ କମ୍ପାନିର କର୍ମଚାରୀ ଥିଲେ। କମ୍ପାନିରେ କାର୍ଯ୍ୟରତ ଥିବାବେଳେ ହିଁ ଗୋଟିଏ ଦିନ, ଅସମୟରେ ଋତୁସ୍ରାବ ଆରମ୍ଭ ହୋଇଥିଲା। ମାନସିକ ଚାପ ସହିତ ଶାରୀରିକ ଭାବରେ ଭୀଷଣ କଷ୍ଟ ଆରମ୍ଭ ହୋଇଥିଲା। ତେଣୁ ସେ ତରବର ହୋଇ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ଠିକ ଏହି ସମୟରେ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଆସି କାର୍ଯ୍ୟ ପାଇଁ ଆଦେଶ ଦେଲେ। ରଞ୍ଜିତା ନିଜ ସ୍ବାସ୍ଥ୍ୟଗତ ସମସ୍ୟା କହିବା କ୍ଷଣି ଅଧିକାରୀ ଜଣକ ଏଭଳି ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ ଯେ, ରଞ୍ଜିତା ତତ୍କ୍ଷଣାତ ଚାକିରିରୁ ଇସ୍ତଫା ଦେଇ ନିଜ ସମ୍ପର୍କୀୟଙ୍କ ଘରକୁ ଚାଲି ଆସିଥିଲେ। ଏହା ପରେ ଚାକିରି ଖୋଜିବା ପରିବର୍ତ୍ତେ ଋତୁସ୍ରାବ ଛୁଟି ପାଇଁ ଆରମ୍ଭ କରିଥିଲେ ଦୁର୍ବାର ଅଭିଯାନ। ୨୦୨୨ ମସିହାରେ ଶିଳ୍ପ କର୍ମଚାରୀଙ୍କ ସମସ୍ୟାକୁ ନେଇ ଭାରତରେ ବିଶ୍ବସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରଞ୍ଜିତାଙ୍କୁ ଭାଗ ନେବାର ସୁଯୋଗ ମିଳିଥିଲା। ଏହି ଅବସରରେ ସେ ପ୍ରଥମଥର ପାଇଁ ମହିଳାଙ୍କ ପାଇଁ ସବୈତନିକ ଋତୁସ୍ରାବ ଛୁଟି ଦାବି କରିଥିଲେ। ଯାହାକୁ ନାଇଜେରିଆର ପ୍ରତିନିଧି ଦଳ ଗୁରୁତ୍ବ ଦେବା ସହିତ ଏହାକୁ ନେଇ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିଥିଲେ। ଏକ ସଙ୍ଗଠନର ସହାୟତାରେ ପିଟିସନ୍ ମଧ୍ୟ ଦାଖଲ କରିଛନ୍ତି। ଏ ପ୍ରସଙ୍ଗରେ ସେ ୧୯ ରାଜ୍ୟ ସହିତ ଥାଇଲାଣ୍ଡ, କେନିଆ ବୁଲି ସାରିଛନ୍ତି। ଏଥିପାଇଁ ଥାଇଲାଣ୍ଡ ସରକାର ତାଙ୍କୁ ସମ୍ବର୍ଧିତ କରିଛନ୍ତି। ତାଙ୍କ ଜୀବନୀକୁ ନେଇ ପ୍ରକାଶିତ ପୁସ୍ତକକୁ ଅଭିନେତ୍ରୀ ଅମିଷା ପଟେଲ ଉନ୍ମୋଚନ କରିଥିଲେ।
ରଞ୍ଜିତା କହିଛନ୍ତି, ଋତୁସ୍ରାବ ସମସ୍ୟାକୁ ନେଇ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରମୋଦ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ସେ ଓଡ଼ିଶାରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ। ଓଡ଼ିଶା ଏବଂ ସମ୍ବଲପୁରର ଗଣମାଧ୍ୟମ ପ୍ରତିନିଧି ଲଗାତାର ତାଙ୍କ ଦାବିକୁ ନେଇ ରିପୋର୍ଟ ପ୍ରସ୍ତୁତ ଯୋଗୁଁ ଆଜି ଏହା ଏତେ ଗୁରୁତ୍ବ ବହନ କଲା ଯେ ସରକାର ଛୁଟି ଘୋଷଣା କଲେ। ଏଥିପାଇଁ ଜାତିସଂଘର ରିଚାର୍ଡ ଚୋପଲ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରଞ୍ଜିତାଙ୍କ କାର୍ଯ୍ୟ କେବଳ ଏତିକିରେ ସୀମିତ ନୁହେଁ। ଏହା ପୂର୍ବରୁ ସେ ୨୦୧୯ ମସିହାରେ କିନ୍ନରଙ୍କୁ ପୁଲିସ ବାହିନୀରେ ନିଯୁକ୍ତି ପାଇଁ ଲଗାତାର ଦାବି କରି ସଫଳ ହୋଇଥିଲେ। ଗୋପବନ୍ଧୁ ଏକାଡେମିରେ ଓଡ଼ିଶାର ପ୍ରଥମ ଦୃଷ୍ଟିବାଧିତ ଓଏଏସ୍ ସନ୍ୟାସୀ ବେହେରାଙ୍କୁ ସହାୟତା ପାଇଁ ରଞ୍ଜିତା ଯେତେବେଳେ ସ୍ବତଃ ଆଗେଇ ଆସିଥିଲେ, ସେତେବେଳେ ସମସ୍ତଙ୍କର ଶୁଭେଚ୍ଛାର ପାତ୍ର ହୋଇଥିଲେ। ବିଟେକ୍ ଛାତ୍ରୀ ରଞ୍ଜିତା ବର୍ତ୍ତମାନ ମାନବିକତା ଆନ୍ଦୋଳନର ଏକ ବଡ଼ ସ୍ବର। ଏବେ ସେ ମୃତ୍ୟୁ ପରର କ୍ଷତିପୂରଣ ପ୍ରଦାନରେ ପକ୍ଷପାତ ବନ୍ଦ ପାଇଁ ଆଉ ଏକ ଅଭିଯାନ ଆରମ୍ଭ କରିଛନ୍ତି।