ରଂଜିତା ନାୟକ, ତୁହିନାଂଶୁ ରଥ ପାଇବେ କବି ଦୀପକ ମିଶ୍ର ସ୍ମୃତି ପୁରସ୍କାର

ଭୁବନେଶ୍ୱର : କବି ଦୀପକ ମିଶ୍ରଙ୍କ ସ୍ମୃତିରେ ୩ କବିଙ୍କୁ ସମ୍ମାନିତ କରାଯିବ। ଚଳିତ ବର୍ଷ ବରିଷ୍ଠ ବିଭାଗରେ କବି ଦୀପକ ମିଶ୍ର ସ୍ମୃତି ପୁରସ୍କାର ପାଇବେ ଅବସରପ୍ରାପ୍ତ ପ୍ରଫେସର ଡ.ରଂଜିତା ନାୟକ। କନିଷ୍ଠ ବର୍ଗରେ ଏହି ସମ୍ମାନ ଲାଭ କରିବେ ତୁହିନାଂଶୁ ରଥ। ଆସନ୍ତା ୨୫ ତାରିଖରେ ଭାରତୀୟ ବିଦ୍ୟାଭବନରେ ହେବାକୁ ଯାଉଥିବା କବି ଦୀପକ ମିଶ୍ରଙ୍କ ୮୦ତମ ଜୟନ୍ତୀ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ। ଉଭୟଙ୍କୁ ଯଥାକ୍ରମେ ୧୦ ହଜାର ଓ ୫ ହଜାର ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯିବ। ଏଥିସହିତ ବରିଷ୍ଠ ଅଣୁ କବି ଭକ୍ତ ମଲ୍ଲଙ୍କୁ ସମ୍ବର୍ଦ୍ଧିତ କରାଯିବ।

ନିଖିଳ ଓଡ଼ିଶା କବି ଦୀପକ ମିଶ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ଜମ୍ମୁ କଶ୍ମୀରର ପ୍ରଖ୍ୟାତ ଡୋଗ୍ରି କବି ମୋହନ ସିଂହ ଅତିଥି ଭାବେ ଯୋଗ ଦେଉଥିବା ବେଳେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ, ପ୍ରଫେସର ଡ. ଦାଶରଥୀ ଦାସ, ଡ. ରାମଚନ୍ଦ୍ର ବେହେରା, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ, କବି ଅପର୍ଣ୍ଣା ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମିର ଆଞ୍ଚଳିକ ସଚିବ ଡ.ମିହିର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ‘କବି ଦୀପକ ମିଶ୍ରଙ୍କ ସାହିତ୍ୟରେ ସମାଜ ଚିତ୍ର’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ସ୍ମୃତି କମିଟିର ସଭାପତି ଡ.ବାସୁଦେବ ଦାସ, ସଂପାଦିକା ଅବନ୍ତି ବେହେରା ଏବଂ ଆବାହିକା ତୁହିନା ମିଶ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର