‘ରଞ୍ଜିତା ନାୟକଙ୍କ କବିତା ସମଗ୍ର ଉନ୍ମୋଚିତ

କଟକ : ବିଶି‌ଷ୍ଟ କବି ପ୍ରଫେସର ଡକ୍ଟର ରଞ୍ଜିତା ନାୟକଙ୍କ ରଚିତ ତଥା ବିଦ୍ୟାପୁରୀ ଦ୍ବାରା ପ୍ରକାଶିତ ‘ରଞ୍ଜିତା ନାୟକଙ୍କ କବିତା ସମଗ୍ର ଗ୍ରନ୍ଥର ଉନ୍ମୋଚନ ଉତ୍ସବ କଟକର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହୋଇଛି। ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ପୌ‌ରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ୍ଞାନପୀଠ ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ, ମୁଖ୍ୟବକ୍ତା ଭାବେ ସାରସ୍ବତ ସମୀକ୍ଷକ ପ୍ରଫେସର ଦାଶରଥି ଦାସ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପିକା ଡକ୍ଟର ସଞ୍ଜିତା ମିଶ୍ର ଯୋଗ ଦେଇଥିଲେ।

ଗ୍ରନ୍ଥକୁ ଉନ୍ମୋଚନ କରି କବି ରମାକାନ୍ତ ରଥ କହିଲେ ଯେ, ସାହିତ୍ୟ ଅନୁଦିତ ହେଲେ, ଏହାର ଅଧିକ ପ୍ରସାର ପ୍ରଚାର ହୁଏ। କବି ରଞ୍ଜିତାଙ୍କ କବିତା ହିନ୍ଦୀ, ଇଂରାଜୀ, ବଙ୍ଗଳା ଆଦି ଆଞ୍ଚଳିକ ଭାଷାରେ ଅନୁଦିତ ହୋଇ ବ୍ୟାପକ ପାଠକୀୟ ଶ୍ରଦ୍ଧା ଓ ସ୍ବୀକୃତି ଲାଭ କରିଛି ବୋଲି କବି ଶ୍ରୀ ରଥ ମତବ୍ୟକ୍ତ କରି‌ଥିଲେ। ମୁଖ୍ୟ ଅତିଥି ପ୍ରତିଭା ରାୟ କହିଥିଲେ ଯେ କବି ରଞ୍ଜିତାଙ୍କ ପୁସ୍ତକ ପାଠ କଲେ, ତାଙ୍କ କାବ୍ୟିକ ପ୍ରତିଭା ସହଜାତ ବୋଲି ମନେହୁଏ। ମୁଖ୍ୟବକ୍ତା ପ୍ରଫେସର ଦାଶରଥି ଦାସ ରଞ୍ଜିତାଙ୍କ କବିତାରାଜି ପ୍ରାଚ୍ୟ ଓ ନୂତନତାର ଅଦ୍ଭୁତ ସମନ୍ବୟ ବୋଲି କହିଥ‌ିଲେ। ସମ୍ମାନିତ ଅତିଥି ଡକ୍ଟର ସଞ୍ଜିତା ମିଶ୍ର କବିଙ୍କ କାବ୍ୟକୃତି ବିଷୟରେ ଆଲୋକପାତ କରିଥିଲେ। କବି ଡକ୍ଟର ରଞ୍ଜିତା ନାୟକ ଲେଖକୀୟ ଅଭିବ୍ୟକ୍ତି ଉପସ୍ଥାପନ କରିଥିବା ବ‌େଳେ ସଭାପତି ଶ୍ରୀ ସାହୁ ରଞ୍ଜିତା ଦେବୀଙ୍କ କବିତା ପାଠକୀୟ ଆଦୃତି ଲାଭ କରିଛି ‌ବୋଲି ପ୍ରକାଶ କରିଥିଲେ। ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡକ୍ଟର ଅର୍ପିତା ପ୍ରିୟଦର୍ଶିନୀ ‌ବେଦପାଠ କରିଥିଲେ। ବିଦ୍ୟାପୁରୀ ପକ୍ଷରୁ ଜୀବାନନ୍ଦ ମିଶ୍ର ଗ୍ରନ୍ଥ ବିଷୟରେ ସୂଚନା‌ ଦେଇଥିଲେ। କବି ଡକ୍ଟର ଜ୍ୟୋତିର୍ମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର