ସମ୍ବଲପୁର : ସେ ଏକାଧାରରେ ଥିଲେ ଜଣେ ସାହିତ୍ୟ ସ୍ରଷ୍ଟା, ଅଭିନେତା, ନିର୍ଦ୍ଦେଶକ। ସାହିତ୍ୟର ଏଭଳି କୌଣସି କ୍ଷେତ୍ର ନାହିଁ ଯେଉଁଠି ସେ ନିଜ ଛାପ ଛାଡ଼ି ନାହାନ୍ତି, କଲମ ଚଳାଇ ନାହାନ୍ତି। ନାଟକ, କାବ୍ୟ, କବିତା, ଗଳ୍ପ, ଚଳଚ୍ଚିତ୍ର ଚିତ୍ରନାଟ୍ୟ, ସଂଳାପ ଓ ଗୀତ, ଧାରାବାହିକ, ଧାରାବାହିକର ଗୀତ ଆଦି ସେ ଅସଂଖ୍ୟ ରଚନା କରିଛନ୍ତି ରଂଜିତ ପଟ୍ଟନାୟକ, ଶ୍ରଦ୍ଧା ନାମ ଡାଲୁ। ରଂଜିତଙ୍କ ପୈତୃକ ଗାଁ କଟକ ଜିଲ୍ଲାର ଅଡ଼ଶପୁର ହୋଇଥିଲେ ବି ତାଙ୍କ ଜନ୍ମ, ପାଠପଢ଼ା, ଚାକିରି ଜୀବନର ଅନେକ ବର୍ଷ କଟିଛି ସମ୍ବଲପୁରରେ। ତାଙ୍କ ବାପା ସ୍ବର୍ଗତ ଜଗନ୍ନାଥ ପଟ୍ଟନାୟକ ଡାକ ବିଭାଗରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ପଦ୍ମପୁରଠାରେ ଅବସ୍ଥାପିତ ଥିବାବେଳେ ରଂଜିତଙ୍କ ଜନ୍ମ। ପରେ ସମ୍ବଲପୁର ବଦଳି ହୋଇ ଆସିଥିଲେ ଓ ଗୋବିନ୍ଦତୋଲାଠାରେ ଘର ତୋଳି ରହୁଥିଲେ। ଏବେ ବି ଏଠାରେ ସେହି ଘର ଅଛି ଓ ସେଥିରେ ତାଲା ଝୁଲୁଛି।
ଗୋବିନ୍ଦତୋଲାର ରାଇଜିଂ ଷ୍ଟାର୍ କ୍ଲବ୍ ତରଫରୁ କରା ଯାଇଥିବା ନାଟକରେ ନାରୀ ଚରିତ୍ରରେ ଅଭିନୟ କରି ରଂଜିତଙ୍କ ନାଟ୍ୟ ଜୀବନ ଆରମ୍ଭ ହୋଇଥିଲା। ଜିଏମ୍ କଲେଜ୍ର ବାର୍ଷିକ ଉତ୍ସବ ବେଳେ ‘ମିଛ ଦୁନିଆ’ ନାଟକରେ ଅଭିନୟ କରି ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ପରେ ହାରାକାରୀ ଏକାଙ୍କିକା ରଚନା କରି ନାଟ୍ୟକାର ଭାବରେ ସେ ନିଜକୁ ପରିଚିତ କରାଇ ଥିଲେ। ଉକ୍ତ ନାଟକଟି ପଂଚାନନ ମିଶ୍ରଙ୍କ ନିର୍ଦ୍ଦେଶନାରେ ହୀରାକୁଦ ଓ ଜଟଣୀରେ ମଞ୍ଚସ୍ଥ ହୋଇ ପୁରସ୍କୃତ ହୋଇଥିଲା। ରଂଜିତ ପଟ୍ଟନାୟକ କାନାରା ବ୍ୟାଙ୍କ୍ରେ ଚାକିରି କରି ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, କଟକ, ଅଡ଼ଶପୁର ଆଦି ଅଂଚଳରେ କାର୍ଯ୍ୟ କରି ଶେଷରେ ୨୦୧୭ରେ ଅବସର ନେଇଥିଲେ। ଜୀବନର ଶେଷ ଭାଗରେ କଟକରେ ସ୍ଥାୟୀ ଭାବରେ ରହିଥିଲେ ବି ତାଙ୍କ କଳାକାର ଓ ସୃଜନ ଜୀବନ ସମ୍ବଲପୁରରେ ଆରମ୍ଭ ହୋଇ ପରିପୁଷ୍ଟ ହୋଇଥିଲା।
୧୯୭୫ ମସିହାରେ ସେ ଦ୍ବାରିକା ନାୟକଙ୍କ ରଚିତ, ନିର୍ଦ୍ଦେଶିତ ‘ସମୟ’ ନାଟକରେ ଜଣେ ଚା’ବାଲା ଚରିତ୍ରରେ ଅଭିନୟ କରିଥିଲେ ଯାହା ବେଶ ଚମତ୍କାର ଥିଲା। ପରବର୍ତ୍ତୀ ସମୟରେ ନାଟ୍ୟକାର ଓ ନିର୍ଦ୍ଦେଶକ ଭାବେ ସେ ବେଶ ନାଁ କରିଥିଲେ। ତାଙ୍କ ରଚିତ ପ୍ରମୁଖ ନାଟକ ଗୁଡ଼ିକ ମଧ୍ୟରେ ଇଚ୍ଛା ବନାମ୍ ପଦ୍ମନାଭ, ଗୋଇଠା ବାବା, ନାକଟା ଚିତ୍ରକର, ଦାନବୀୟ, ମାର୍ଫତ ଈଶ୍ବର, ବଧିର ଈଶ୍ବର, ଟିଟୋ, ଗାଆଁ, ତିତଲି ଆଦି ଓଡିଶାର ବିଭିନ୍ନ ସହରରେ ମଞ୍ଚସ୍ଥ ହୋଇ ଲୋକପ୍ରିୟ ହୋଇ ପାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ranjeet.jpg)