ଜଗତସିଂହପୁର: ଆଳି ପିଙ୍ଗଳ ଜେଲରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି। ଚମ୍ପଟ ମାରିଥିବା କଏଦୀ ଜଣକ ହେଲା ଜୀବନଜ୍ୟୋତି ସାହୁ (୨୪)। ତାର ଘର ବାଲିକୁଦା ଥାନା ଗଦେଇଗିରି ଗାଁ। ଏକ ନାବାଳିକାକୁ ଦୁଷ୍କର୍ମ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ରହୁଥିଲେ। ଆଜି ଦିନ ୧୦ଟାରୁ ୧୨ଟା ମଧ୍ୟରେ ସେ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ଏ ନେଇ ଜେଲ୍ ମୁଖ୍ୟ ରତିକାନ୍ତ ଶୁକ୍ଳା ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ଇନସପେକ୍ଟର ପ୍ରଭାସ ଚନ୍ଦ୍ର ସାହୁ ଜେଲରେ ପହଞ୍ଚି ସେଠାରେ ତଦନ୍ତ ଆରମ୍ଭ କରିଛନ୍ତି।
ଇନସପେକ୍ଟର ଶ୍ରୀ ସାହୁଙ୍କ ସୁଚନା ମୁତାବକ, ଆଜି ସକାଳ ସମୟରେ କଏଦୀ ଗଣାଯିବା ସମୟରେ ଜୀବନଜ୍ୟୋତି ଜେଲରେ ରହିଥିଲେ। ଅପରାହ୍ନରେ ଯେତେବେଳେ ପୁଣି ଥରେ କଏଦୀଙ୍କ ସଂଖ୍ୟା ଗଣାଯାଇଥିଲା, ସେଥିରେ ଜୀବନଜ୍ୟୋତି ନଥିବା ଜେଲ୍ କର୍ମଚାରୀ ଜାଣିବାକୁ ପାଇଥିଲେ। ସେମାନେ ଏନେଇ ତୁରନ୍ତ ଜେଲ୍ ମୁଖ୍ୟ ଶ୍ରୀ ଶୁକ୍ଳାଙ୍କୁ ଜଣାଇଥିଲେ। କୌଣସି ସମୟରେ ସେ ସୁଯୋଗ ଦେଇ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଜେଲ୍ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି।
ପୁଲିସ ବର୍ତ୍ତମାନ ସିସିଟିଭି ଯାଞ୍ଚ କରିବା ସହ ଜୀବନଜ୍ୟୋତିକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ମାତ୍ର ଆଳିପିଙ୍ଗଳ ଭଳି ଜେଲରୁ ଜଣେ ବିଚାରଧୀନ କଏଦୀ ଏମିତି ଢ଼ଙ୍ଗରେ ଫେରାର ହୋଇଯିବା ଘଟଣାକୁ ସହଜରେ ଗ୍ରହଣ କରି ହେଉ ନାହିଁ। ସ୍ପଷ୍ଟ ଦିବା ଲୋକରେ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯିବା ଅତ୍ୟନ୍ତ କଷ୍ଟଦାୟକ। ଜେଲ୍ ମଧ୍ୟରୁ ବାହାରିବା ପାଇଁ ହେଲେ ଦୁଇଟି ବଡ଼ ବଡ଼ କାନ୍ଥ ରହିଛି। ଏହି ଦୁଇଟି କାନ୍ଥକୁ ସେ କେମିତି ଡେଇଁଲେ ଏହାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ ଜେଲରେ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଅଙ୍ଗୁଳି ଉଠିଛି। ଦୁଇ ବର୍ଷ ହେଲା ଜେଲରେ ରହିଥିବା ଜୀବନଜ୍ୟୋତି ଏଠାରୁ ଫେରାର ହେବା ପାଇଁ ସୁଯୋଗ ଖୋଜୁଥିଲେ। ଆଜି ସେ ଜେଲ୍ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/11d2701c-095b-4580-9b4f-0d5d8ec76954.jpg)