ରାଉରକେଲା: ପୁଲିସ ହେପାଜତ୍ରୁ ଫେରାର ଦୁଷ୍କର୍ମକାରୀ ଓ ତା’ର ଘନିଷ୍ଠ ସହଯୋଗୀଙ୍କୁ ପୁରୀ-କୋଣାର୍କ ରାସ୍ତା ଚିଙ୍ଗୁଡ଼ି ଘେରିରୁ ବାନ୍ଧିଛି ପୁଲିସ। ଗିରଫ ଦୁଷ୍କର୍ମକାରୀ ଛେଣ୍ଡ କଲୋନିର କିଶୋର ଦାସ ଓରଫ ଜଟ୍ ଓ ତା’ର ସହଯୋଗୀ ଜ୍ୟୋତିରଞ୍ଜନ ରାଉତ ଓରଫ ଚିକୁନ। ରଘୁନାଥପାଲୀ ଓ ଛେଣ୍ଡ ପୁଲିସର ସ୍ବତନ୍ତ୍ର ଟିମ୍ ସ୍ଥାନୀୟ ପୁଲିସ ସହାୟତାରେ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କୁ ଚିଙ୍ଗୁଡ଼ି ଘେରିରୁ ଧରିବାରେ ସଫଳ ହୋଇିଥିଲା। ପୂର୍ବରୁ ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଜଟର ୪ ସହଯୋଗୀ ଛେଣ୍ଡ କଲୋନିର ସାନ୍ତୁନ ବାରିକ, ସୌରଭ କୁମାର ସ୍ବାଇଁ, ଅଭିଷେକ ଜେନା ଓ ବାଲୁଘାଟର ରଣଜିତ ରାୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏମାନଙ୍କ ନିକଟରୁ ଗୋଟିଏ ସ୍କୋର୍ପିଓ, ଗୋଟିଏ ବୁଲେଟ୍, ଦୁଇଟି ମୋଟରବାଇକ୍ ଜବତ ହୋଇଛି।
ଏହି ଘଟଣାରେ ଜଟର ଅନ୍ୟତମ ସହଯୋଗୀ ଦେବାଶିଷ ମହାନ୍ତି ଫେରାର ଅଛି। ଗିରଫ ଜଟ ନାଁରେ ରାଉରକେଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି। ଏହି ଘଟଣାରେ ରାଉରକେଲା ଏସ୍ପି ମୁକେଶ କୁମାର ଭାମୁ ଛେଣ୍ଡ ଥାନାର ତିନି ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। ସେମାନେ ହେଲେ ହାବିଲଦାର ନିରଞ୍ଜନ ସାହୁ, ଦୁଇ କନେଷ୍ଟବଳ ଉମ୍ଳାନ ମିଞ୍ଜ ଓ କେ.ସି. ଦାସ।
ଉଲ୍ଲେଖଯୋଗ୍ୟ, ଗତ ୧୯ ଜୁନ୍ରେ କଳିଙ୍ଗବିହାର ବନପୋଷ ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗତ ଦୁଇ ଦିନ ପୂର୍ବରୁ କଳିଙ୍ଗବିହାର ବନପୋଷ ଅଞ୍ଚଳର ଛେଣ୍ଡ ପୁଲିସ କିଶୋର ଦାସ ଓରଫ ଜଟକୁ ଗିରଫ କରିଥିଲା। ତାଙ୍କୁ ଡାକ୍ତରମାଇନା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ହାବିଲଦାର ନିରଞ୍ଜନ, ଦୁଇ କନେଷ୍ଟବଳ ଉମ୍ଳାନ ମିଞ୍ଜ ଓ କେ.ସି. ଦାସ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜଟକୁ ଆର୍ଜିଏଚ୍କୁ ନେଇଥିଲେ। ଡାକ୍ତରମାଇନା ସରିବା ପରେ ଜଟ ଡାକ୍ତରଖାନାକୁ ତିନି ପୁଲିସଙ୍କ ସହ ବାହାରିଥିଲା। ହଠାତ୍ ପୁଲିସ ହେପାଜରୁ ଖସି ସଂପର୍କୀୟଙ୍କ ବୁଲେଟ୍ରେ ବସି ଚମ୍ପଟ ମାରିଥିଲା। ସେଠାରୁ ତା’ର ସହଯୋଗୀଙ୍କ ସହ ଦୁଇଟି ମୋଟରବାଇକ୍ରେ କେନ୍ଦୁଝର ଚାଲି ଯାଇଥିଲା। ସେଠାରୁ ପାଣିକୋଇଲି, ପରେ ଭୁବନେଶ୍ବର ପଳାସୁଣୀରେ ପହଞ୍ଚି ଜଣଙ୍କ ଘରେ ଲୁଚିଥିଲା। ପୁଲିସ ଖୋଜୁଥିବା ଖବର ପାଇ ତା’ର ସହଯୋଗୀ ଚିକୁନ ସହ ପୁରୀ-କୋଣାର୍କ ରୋଡ ଚିଙ୍ଗୁଡ଼ି ଘେରିକୁ ଚାଲିଯାଇଥିଲା। ଚିଙ୍ଗୁଡ଼ି ଘେରିରେ କାମ କରୁଥିବା କର୍ମଚାରୀଙ୍କ ସହ ମିଶି ସେଠାରେ ରହୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/a97801be-1ac1-41b7-b369-35297c2419bd.jpg)