ରାୟଗଡ଼ା: ସ୍ବାମୀଙ୍କୁ ମଦ ପିଆଇ ନିଶାସକ୍ତ କରିବା ପରେ ଘରେ ପଶି ସ୍ତ୍ରୀକୁ ଦୁଷ୍କର୍ମ କରିବା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଫାଷ୍ଟ ଟ୍ରାକ୍ କୋର୍ଟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗଣେଶ୍ବର ପତି। ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି  ଚୂଡ଼ାନ୍ତ ରାୟରେ ଦୁଇ ଦୋଷୀ ପବିତ୍ର ମାଝି, ଜବରସିଂ ମାଝିକୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

୨୦୨୦ ଜୁଲାଇ ୩୧ ତାରିଖରେ କାଶୀପୁର ଥାନା ମନୁଷ ଗାଁର ପବିତ୍ର ମାଝି ଓ ଜବରସିଂ ମାଝି ମନ୍ଦ ଉଦ୍ଦେଶ୍ୟ ରଖି ଗ୍ରାମର ବଳରାମ ନାୟକଙ୍କୁ ମଦ ପିଇବାକୁ ଡାକି ନେଇଥିଲେ। ସଭିଁଏ ମିଶି ପ୍ରଚୁର ମଦ୍ୟ ପାନ କରିବା ପରେ ରାତି ୮ଟାରେ ଘରକୁ ଫେରି ଆସିଥିଲେ। ବଳରାମକୁ ନିଶାସକ୍ତ ଅବସ୍ଥାରେ ନିଜ ଘରେ ଛାଡ଼ି ଦେଇ ପବିତ୍ର ଓ ଜବରସିଂ ଚାଲି ଯାଇଥିଲେ। ଅତ୍ୟଧିକ ମଦ୍ୟପାନ ଯୋଗୁ ବଳରାମ ଘରକୁ ନ ଯାଇ ବାରଣ୍ଡ‌ାରେ ହିଁ ଶୋଇ ପଡିଥିଲେ। ରାତି ପ୍ରାୟ ୧୨ଟାରେ ପବିତ୍ର ଓ ଜବରସିଂ ବଳରାମଙ୍କ ଘରକୁ ଆସି ତାଙ୍କ ସ୍ତ୍ରୀକୁ ଦୁଷ୍କର୍ମ କରିଥିଲେ। ଉଭୟଙ୍କ କବଳରୁ ବର୍ତ୍ତିବା ପାଇଁ ବଳରାମଙ୍କ ସ୍ତ୍ରୀ ଚିତ୍କାର କରିବା ପରେ ପଡୋଶୀ ଲୋକଙ୍କ ସହ ବଳରାମ ଉଠି ପଡି ଘର ଭିତରକୁ ଦୌଡ଼ି ଆସିଥିଲେ। ଭୟରେ ପବିତ୍ର ଓ ଜବରସିଂ ଘରୁ ବାହାରି ଦୌଡ଼ୁଥିବା ବେଳେ ପବିତ୍ରକୁ ସ୍ଥାନୀୟ ଲୋକେ କାବୁ କରି ନେଇଥିଲେ। ଜବରସିଂ ଖସି ଯିବାରେ ସକ୍ଷମ ହୋଇଥିଲା। ଏ ନେଇ କାଶୀପୁର ଥାନାରେ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଶୁଣାଣି କରି ଆଜି ବିଚାରପତି ଶ୍ରୀ ପତି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ୍ବର ମହାପାତ୍ର ଏବଂ ଦୋଷୀଙ୍କ ପକ୍ଷରୁ ଆଇନଜୀବୀ ଉମାକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।