ବନ୍ଧପାଲି ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଯୁବକକୁ ୧୦ ବର୍ଷ ଜେଲ୍, ୨୦ ହଜାର ଜରିମାନା

ସୁନ୍ଦରଗଡ଼: ୨୦୧୩ ଜାନୁଆରିରେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବନ୍ଧପାଲିର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି। ଶନିବାର ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟ ଜଜ୍ ମହେନ୍ଦ୍ର କୁମାର ସୂତ୍ରଧର ଅଭିଯୁକ୍ତ ବନ୍ଧପାଲିର ପିଣ୍ଟୁ ସା (୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏହା ସହ ମାମଲାର ପୀଡ଼ିତାଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ହୋଇଛି। ମାମଲାର ବିବରଣୀ ଅନୁସାରେ, ପୀଡ଼ିତା ନାବାଳିକାଙ୍କୁ ପିଣ୍ଟୁ ଗତ ୨୦୧୩ ଜାନୁଆରିରେ ଅପହରଣ କରି କଟକ ଗଂଗେଶ୍ବରଗଡ଼ ନେଇ ଯାଇଥିଲା। ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ମାଡ଼ପିଟ କରିଥିଲା। ଏପରିକି ପିଣ୍ଟୁଙ୍କ ବାପା କେଦାର ସା ମଧ୍ୟ ମାଡ଼ପିଟ କରୁଥିଲେ। ଦିନକୁ ଦିନ ନିର୍ଯାତନା ବଢ଼ିବାରୁ ପୀଡ଼ିତାଙ୍କ ସୂଚନାକ୍ରମେ ବାପା ୨୦୧୩ ଅଗଷ୍ଟ ୨୧ରେ ସଦର ଥାନାରେ ଏତଲା ଦେଇ ଝିଅକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ।

ସଦର ପୁଲିସ ଭାରତୀୟ ଦଣ୍ଡବିଧି ଧାରା ୩୬୩, ୩୬୬, ୩୭୬(୨)(ଆଇ), ୩୭୬(୨)(ଏନ୍), ୩୨୩/୩୪, ୫୦୬/୩୪ ଓ ଧାରା ୪ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ (ପକ୍ସୋ)ରେ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପିଣ୍ଟୁ ସାକୁ ଗିରଫ କରିଥିଲା। ଏହା ସହ ବାପା କେଦାର ମଧ୍ୟ ୩୨୩ ଓ ୫୦୬ରେ ଗିରଫ ହୋଇଥିଲେ। ପକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଚଳିତ ଅପ୍ରେଲ ୪ ତାରିଖରେ ମାମଲାର ଜବାବ ସୁଆଲ ପରେ ୧୬ ତାରିଖରେ କୋର୍ଟ ଶୁଣାଣି କରିଥିଲେ। ପ୍ରୋବେସନ ଅଫ ଅଫେଣ୍ଡର୍ସ ଆକ୍ଟରେ ବାପା କେଦାର ସାଙ୍କୁ ଛଡାଯାଇଛି। ସରକାରୀ ଓକିଲ ଦେବାଶିଷ ମିଶ୍ର ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର