ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ମନୋହରପୁର ଅଙ୍କୁଆ ଗାଁରେ ଆଦିବାସୀ ଯୁବତୀଙ୍କୁ ହତ୍ୟା ପରେ ଦୁଷ୍କର୍ମ ଘଟଣାରେ ଝାଡ଼ଖଣ୍ଡ ପୁଲିସକୁ ସଫଳତା ମିଳିଛି। ଝାଡ଼ଖଣ୍ଡ ପୁଲିସ ହତ୍ୟାକାରୀକୁ ରାଉରକେଲାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସରଣ୍ଡା ଅଞ୍ଚଳର ରମାୟ ବୋଦ୍ରା। ପୁଲିସ ମୋବାଇଲ ଟ୍ରାକିଂ ଆଧାରରେ ଛେଣ୍ଡ କଲୋନି ହକି ଷ୍ଟାଡ଼ିୟମ ନିକଟରୁ ଗିରଫ କରିଥିଲେ। ରମାୟ ରାଉରକେଲା ହକି ଷ୍ଟାଡ଼ିୟମରେ ଠିକା ଶ୍ରମିକ ଭାବେ କାମ କରୁଥିଲେ।

Advertisment

ମିଳିଥିବା ସୂଚନା ମୁତାବକ ଗତ ଜୁଲାଇ ୧୨ରେ ଯୁବତୀ ଜଣକ ମନୋହରପୁର ରାସ୍ତାରେ ନିକଟସ୍ଥ ସ୍କୁଲକୁ ଚାଲି ଚାଲି ଯାଉଥିଲେ। ଅଙ୍କୁଆ ଗାଁ ନିକଟରେ ରମାୟ ବୋଦ୍ରା ଯୁବତୀଙ୍କୁ ଏକାକୀ ଦେଖି ତା’ର ପିଛା କରିଥିଲେ। କିଛି ବାଟଗଲା ପରେ ଜୋରଜରବଦସ୍ତ ଯୁବତୀଙ୍କୁ ନିକଟସ୍ଥ ଜଙ୍ଗଲକୁ ଟାଣି ନେଇଥିଲେ। ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲେ। ଚିତ୍କାର କରିବାରୁ ରମାୟ ଯୁବତୀଙ୍କ ଗଳାକୁ ଚିପି ଓ ପଥରେ ଛେଚି ହତ୍ୟା କରିଥିଲା। ପରେ ନିଶାରେ ଥିବା ରମାୟ ମୃତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏତିକିବେଳେ ଦୁଇ ଯୁବକ ଆସିଯିବାରୁ ରମାୟ ଘଟଣାସ୍ଥଳରୁ ସାଇକଲରେ ଫେରାର ହୋଇଯାଇଥିଲା। ପୁଲିସ ଦୁଇ ଯୁବକଙ୍କ ବୟାନ ଓ ରାସ୍ତାରେ ଲାଗିଥିବା ସିସି ଟିଭି ଫୁଟେଜ୍‌ ଆଧାରରେ ହତ୍ୟାକାରୀ ରମାୟକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ। ଶେଷର ପୁଲିସ ରମାୟ ଘରୁ ତା’ ଭଉଣୀର ମୋବାଇଲ ଜବତ କରିଥିଲା। ଭଉଣୀ ‌ମୋବାଇଲରୁ ରମାୟର ନମ୍ବର ଟ୍ରାକିଂ କରିଥିଲେ। ରମାୟ ରାଉରକେଲା ହକି ଷ୍ଟାଡ଼ିୟମ ନିକଟରେ ଥିବା ଜଣାପଡ଼ିଥିଲା।‌ ପରେ ଝାଡ଼ଖଣ୍ଡ ପୁଲିସର ଟିମ୍‌ ରାଉର‌କେଲାରେ ପହଞ୍ଚି ରମାୟକୁ ଉଠାଇ‌ ନେଇଥିଲା।