ଭୁବନେଶ୍ୱରରେ ଚାକିରି କରାଇଦେବା ବାହାନାରେ ଛତିଶଗଡ଼ର ଯୁବତୀଙ୍କୁ ଦୁଷ୍କର୍ମ କରିଲେ କଂପାନି ଅଧିକାରୀ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରେ ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରର ଶିଶୁପାଳଗଡ଼ଠାରେ ଥିବା ଫାଇନାନ୍ସ କମ୍ପାନି ସତ୍ୟ ମାଇକ୍ରୋଟେକ ଲିମିଟେଡ଼ର ଜଣେ ବରିଷ୍ଠ ଅଧିକାରୀ ଜୟ କୁମାର ଛତିଶଗଡ଼ର ଜଣେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଭୁବନେଶ୍ୱର ଆସିବାକୁ କହିଥିଲେ। ଯୁବତୀଜଣକ ଆଗରୁ ଜୟଙ୍କୁ ଜାଣିଥିବା ଯୋଗୁଁ ଭୁବନେଶ୍ୱର ଆସିବାକୁ ରାଜି ହୋଇଥିଲେ ।

photo–aajtak

ଯୁବତୀଜଣକ ସତ୍ୟ ମାଇକ୍ରୋଟେକ ଲିମିଟେଡ଼ର ରାୟପୁର ଶାଖାରେ ଆଗରୁ ଚାକିରି କରୁଥିଲେ, ହେଲେ ସେ ଛଅ ମାସପୂର୍ବରୁ ସେଠାରୁ ଚାକିରି ଛାଡ଼ି ଦେଇଥିଲେ। ଯୁବତୀଜଣକ ପୁଣି ଚାକିରି ପାଇବା ଅଭିଳାଷ ନେଇ ଭୁବନେଶ୍ବର ଆସିବା ପରେ ତାଙ୍କୁ ଲକ୍ଷ୍ମୀସାଗରରେ ଥିବା ଏକ ହୋଟେଲରେ ଇଣ୍ଟଭ୍ୟୁ ପାଇଁ ଡାକି ଜୟ କୁମାର ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ଜଣକ ଲକ୍ଷ୍ମୀସାଗର ଥାନାରେ ସତ୍ୟ ମାଇକ୍ରୋଟେକ ଲିମିଟେଡ଼ର ବରିଷ୍ଠ ଅଧିକାରୀ ଜୟ କୁମାରଙ୍କ ନାଁରେ ଆଜି ଏତଲା ଦେଇଥିଲେ ।

ପୀଡ଼ିତାଙ୍କ ଏତଲାକୁ ଆଧାର କରି ଲକ୍ଷ୍ମୀସାଗର ପୁଲିସ ତଦନ୍ତ ଆରମ୍ଭ କରିବା ପରେ ଅଭିଯୁକ୍ତ ଜୟ କୁମାରଙ୍କୁ ଗିରଫ କରିଥିବା ଜଣାଯାଇଛି । ଅଭିଯୁକ୍ତ ଜୟ କୁମାରଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର