କୋଭିଡ୍‌ ଟିକାକେନ୍ଦ୍ରରୁ ଧରାପଡ଼ିଲା ଫେରାର୍‌ ଦୁଷ୍କର୍ମ ଅଭିଯୁକ୍ତ, ଟିକା ନେବାକୁ ଆସିଥିଲା

ପାଟଣାଗଡ଼/ଲରମ୍ଭା‌ : ଗତ ୨ବର୍ଷ ୩ ମାସ ଧରି ଫେରାର ଥିବା ଅରୁଣ ପୋଢ଼ ନାମକ ଜଣେ ଦୁର୍ଷ୍କମ ଅଭିଯୁକ୍ତକୁ ପାଟଣାଗଡ଼ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଅରୁଣ ଶନିବାର ତା’ ନିଜ ଗାଁ ଭଇଁଷାର କୋଭିଡ ଟିକାଦାନ କେନ୍ଦ୍ରକୁ ଆସିଥିବା ସମୟରେ ପୁଲିସ ତାକୁ ଧରିଥିଲା।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ ମାର୍ଚ୍ଚ ୨୦ ତାରିଖ ଦିନ ଜଣେ ଯୁବତୀଙ୍କୁ ଅରୁଣ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପାଟଣାଗଡ଼ ଥାନା କେସ୍‌ ନଂ ୬୭/୧୯ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା। ଘଟଣା ଦିନରୁ ଅଭିଯୁକ୍ତ ଫେରାର ଥିଲା। ଶନିବାର ଅରୁଣ ନିଜ ଗାଁ ଭଇଁଷାସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ କୋଭିଡ ଟିକା ନେବାକୁ ଆସିଥିଲା। କୌଣସି ସୂତ୍ରରୁ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ପାଇଥିଲେ। ପରେ ତାଙ୍କ ନିର୍ଦେଶରେ ଏସ୍‌ଆଇ ବିଷ୍ଣୁ ପ୍ରସାଦ ଶବରଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଅରୁଣକୁ ଉଠାଇ ଆଣିଥିଲେ। ସେ ଗତ ୨ ବର୍ଷରୁ ଅଧିକ ସମୟ ଧରି ତାମିଲନାଡୁ କୋଏମ୍ବଟୁର ସହରର ଏକ ଲୁଗା କାରଖାନାରେ କାମ କରୁଥିବା ପୁଲିସକୁ କହିଥିଲା। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଅରୁଣକୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଇ ଦିଆ ଯାଇଛି।

ସମ୍ବନ୍ଧିତ ଖବର