ସୁକିନ୍ଦା, ଆଳିରେ ନାବାଳିକାକୁ ଗଣଦୁଷ୍କର୍ମ : ଉଭୟ ଘଟଣାରେ ଅଭିଯୁକ୍ତ ଗିରଫ

ପୁରୀ : ଦୁଷ୍କର୍ମ ଅଭିଯୋଗରେ ଯବାନ ଗିରଫ

କାଳିଆପାଣି/ଆଳି : ଦଶହରା ପାଇଁ ପୁରପଲ୍ଲୀ ଉତ୍ସବମୁଖର ଥିବାବେଳେ ଯାଜପୁର ଜିଲ୍ଲାର ସୁକିନ୍ଦା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଆଳିଠାରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଉଭୟ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଏହା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣା ସୂତ୍ରରୁ ଜଣାପଡ଼ିଛି, ଗତ ୭ ତାରିଖ ଦିନ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ଯାତ୍ରା ଚାଲୁଥିଲା। ଯାତ୍ରାପଡ଼ିଆରେ ପୀଡ଼ିତା ନାବାଳିକା ଠିଆ ହୋଇଥିବାବେଳେ ଅନ୍ଧାରର ସୁଯୋଗ ନେଇ ଜଣେ ଯୁବକ ଓ ଅନ୍ୟ ଜଣେ ବାଳକ ତାଙ୍କୁ ନିକଟସ୍ଥ ରେଳବାଇ ପୋଲ ତଳକୁ ନେଇ ଗଣଦୁଷ୍କର୍ମ କରିଥିଲେ। ପୁଲିସ ତ୍ବରିତ ପଦକ୍ଷେପ ନେଇ ମୁଖ୍ୟ ଅଭିଯୁକ୍ତ ଏହି ଥାନା ବନ୍ଧଗାଁ ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗାଁର କିରାନି ମହାନ୍ତଙ୍କ ପୁଅ ଦୀପକ ଓରଫ୍‌ ଭୁବନା(୨୧) ଓ ପଡ଼ୋଶୀ ମାନତୀରା ଗାଁର ଜନୈକ ୧୭ ବର୍ଷୀୟ ନାବାଳକକୁ ଗିରଫ କରି କୋର୍ଟଚାଲାଣ କରିଛି।

ସେହିଭଳି, କେନ୍ଦ୍ରାପଡ଼ାର ଆଳି ଥାନା ମାନପୁର ଗ୍ରାମରେ ବି ସେହିଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି। ଗତ ରବିବାର ରାତିରେ ଜଣେ ନାବାଳିକା ବାହାରକୁ ପରିସ୍ରା କରିବାକୁ ଯାଇଥିବା ସମୟରେ ସେହି ଗ୍ରାମର ୨ ଜଣ ଯୁବକ ତାକୁ ଆକ୍ରମଣ କରି ଟେକି ନେଇଥିଲେ। ନାବାଳିକାର ପାଟିରେ କପଡା ଭର୍ତ୍ତି କରି, ଛୁରୀ ଦେଖାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅକୁ ମୁମୂର୍ଷୁ ଅବସ୍ଥାରେ ଘର ପଛପଟ ବାଡିରୁ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମ ବୈଠକରେ ମାମଲାର ଫଏସଲା ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ଗ୍ରାମରେ ଫଏସଲା ହୋଇ ନ ପାରିବାରୁ ନାବାଳିକାର ବାପା ଗତକାଲି ଏ ସଂକ୍ରାନ୍ତରେ ଆଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଳି ପୁଲିସ ଘଟଣାର ତଦନ୍ତ କରି ଆଜି ସଂପୃକ୍ତ ନାବାଳିକାକୁ କେନ୍ଦ୍ରାପଡା ନେଇ ଡାକ୍ତରୀ ମାଇନା କରିଛି। ଦୁଇ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଦାସ (୨୩) ଓ ସୁରେଶ ବେହେରା (୨୫)ଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କର ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଦୁଷ୍କର୍ମ ପୀଡିତା ନାବାଳିକା ହେଉଛନ୍ତି ଜଣେ ନବମ ଶ୍ରେଣୀର ଛାତ୍ରୀ।

ଦୁଷ୍କର୍ମ ଅଭିଯୋଗରେ ଯବାନ ଗିରଫ

ପୁରୀ : ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପୁରୀକୁ ଆଣି ଏଠାରେ ହୋଟେଲ‌ରେ ତିନି ଦିନ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ପୁରୀ ସମୁଦ୍ରକୂଳ ଥାନା ପୁଲିସ ଜଣେ ଯବାନକୁ ଗିରଫ କରିଛି। ଶ୍ରୀନଗର ବାରମୁଳା ବାଟାଲିଅନ୍‌ରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଏହି ଯବାନକୁ ପୁଲିସ ବରଗଡ଼ରୁ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସର ସୂଚନା ହେଲା, ବରଗଡ଼ ପାଇକମାଳର ଚନ୍ଦନ ସାହୁ (୨୪) ଗତ ବର୍ଷ ଏପ୍ରିଲ ମାସ ୧୧ ତାରିଖ ଦିନ ତା’ର ପ୍ରେମିକା ଯଶୋଦା (ଛଦ୍ମନାମ)ଙ୍କୁ ପ୍ରେମ ଜାଲରେ ଫସାଇ ପୁରୀକୁ ଆଣି ଏଠାରେ ସମୁଦ୍ରକୂଳ ଥାନା ଇଲାକାରେ ଥିବା ଏକ ହୋଟେଲରେ ରଖିଥିଲେ। ଚନ୍ଦନ ପ୍ରେମିକା ଯଶୋଦାଙ୍କୁ ବିବାହ କରିବା ପାଇଁ ପ୍ରଲୋଭନ ଦେଖାଇ ତିନି ଦିନ ଧରି ଦୁ‌ଷ୍କର୍ମ କରିଥିଲା। ଏହା ପରେ ସେମାନେ ଫେରିଯିବା ପରେ ଚନ୍ଦନ ଆଉ ଯଶୋଦାଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ରଖିନଥିଲା। ଯଶୋଦାଙ୍କ ବିବାହ କରିବାର ଆଶା ମଉଳି ଗଲା ପରେ ଗତ ମାସରେ ସେ ପୁରୀ ଆସି ଏ ସମ୍ପର୍କରେ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦନକୁ ବରଗଡ଼ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ୪୯୩, ୪୧୭ ଓ ୩୭୬ ଦଫାରେ ମାମଲା ରୁଜୁ କରାଯାଇଛି। ଯଶୋଦା ଟିଉସନ କରି ଚଳୁଥିବା ବେଳେ ଫେସବୁକ୍ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଆସିଥିଲା।

ସମ୍ବନ୍ଧିତ ଖବର