ରାଜକନିକା: ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ଡାକ୍ତରୀ ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଡାକ୍ତରଖାନାକୁ ଅଣାଯାଇଥିବା ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ପରିସ୍ରା କରିବାକୁ ଯିବା ବାହାନା କରି ଅଭିଯୁକ୍ତ ଚମ୍ପଟ ମାରିଛି। ପ୍ରକାଶ ଯେ, ଗତ ୪ ତାରିଖ ରାତି ପ୍ରାୟ ୭ଟାରେ ରାଜକନିକା ଥାନା ଅନ୍ତର୍ଗତ କାଟଣା-ବଣିଆଁ ପଞ୍ଚାୟତ ଅଞ୍ଚଳର ଜଣେ ମହିଳା କାଟଣା ବଜାରରୁ ନିଜ ଘରକୁ ଫେରୁଥିଲେ।
କାଟଣା କଲେଜ ନିକଟରେ ଡାଏଣିଗିରି ଗାଁର ଖଗେଶ୍ବର ବେହେରା(୫୧) ନାମକ ବ୍ୟକ୍ତି ତାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିବା ନେଇ ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ରାଜକନିକା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି ଗିରଫ କରାଯାଇଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଡାକ୍ତରୀ ପରୀକ୍ଷା ପାଇଁ ଅଭିଯୁକ୍ତକୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପରିସ୍ରା ଯିବା ବାହାନାରେ ପୁଲିସକୁ ଚକ୍ମା ଦେଇ ଅଭିଯୁକ୍ତ ଚମ୍ପଟ ମାରିଛି। ଏ ସମ୍ପର୍କରେ ଥାନାଧିକାରୀ ସଞ୍ଜୟ ମଲିକଙ୍କୁ ପଚାରିବାରୁ ଘଟଣାକୁ ସେ ସ୍ବୀକାର କରିବା ସହିତ ଅଭିଯୁକ୍ତକୁ ଖୁବ୍ଶୀଘ୍ର ଧରାଯିବ ବୋଲି କହିଛନ୍ତି।