ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା

କେନ୍ଦୁଝର : କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ୨୦୨୧ ମସିହା ଅଗଷ୍ଟ ମାସ ୫ ତାରିଖ ସଂଧ୍ୟାରେ ପାଟଣା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଝାଟିପଡ଼ା ଗ୍ରାମର ସଂପର୍କୀୟ ଦେଡ଼ଶୂର ମଦନ ଗୋପାଳ ବାରିକ (୩୫) ଗାଧୁଆ ଘରକୁ ଟେକିନେଇ ଦୁର୍ଷ୍କମ କରିଥିଲା। ଘଟଣା ସଂପର୍କରେ କାହାରିକୁ କିଛି ନକହିବାକୁ ଧମକ ଦେଇ ମଦନ ସେଠାରୁ ଚାଲିଯାଇଥିଲା। ତେବେ ସ୍ବାମୀ ଘରକୁ ଫେରିବା ପରେ ମହିଳା ଜଣକ ଘଟଣା ସଂପର୍କରେ କହିଥିଲେ। ପରଦିନ ସ୍ବାମୀସ୍ତ୍ରୀ ଥାନାକୁ ଯାଇ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ କେସ ନଂ ୧୧୭/ ୨୦୨୧ରେ ଏକ ମାମଲା ରୁଜୁ କରି ମଦନକୁ ଗିରଫ କରି ୩୭୬, ୫୦୬ ଦଫାରେ କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୪ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ମଦନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ସେପଟେ ପୀଡିତା ମହିଳାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ପରିଚାଳନା କରୁଥି‌ଲେ।

ସମ୍ବନ୍ଧିତ ଖବର