ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ: ଅଭିଯୁକ୍ତକୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ

ରାୟଗଡ଼ା: ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗଣେଶ୍ବର ପତି। ରାୟରେ ବିଚାରପତି ଶ୍ରୀ ପତି ଅଭିଯୁକ୍ତ କୁନା ଝୋଡ଼ିଆକୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୩ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି।

୨୦୧୫ ଜୁନ୍ ୮ ତାରିଖରେ ଦୋରାଗୁଡା ଥାନାର ବାଗିରିଝୋଲା ଗ୍ରାମର ଏକ ନାବାଳିକାକୁ ଦୁଷ୍କର୍ମ କରିଥିଲେ କୁନା। ନାବାଳିକା ଜଣଙ୍କ ରାତିରେ ଘରେ ଶୋଇଥିବା ବେଳେ କୁନା ଘରୁ ଉଠାଇ ନେଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ। ପରିବାର ଲୋକ ଏ ସଂପର୍କରେ ଜାଣିବା ପରେ ଦୋରାଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜୁଲାଇ ୨୦ ତାରିଖରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚାର୍ଜସିଟ୍ ଦାଖଲ ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗଣେଶ୍ବର ପତି ମାମଲାର ବିଚାର ଆରମ୍ଭ କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ଆଇନଜୀବୀ ବିରଜା ପ୍ରସାଦ ପାତ୍ର, ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଉମାକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର