ଫୁଲବାଣୀ : ଗୁରୁବାର ଦିନ ଫୁଲବାଣୀ ଫାଷ୍ଟଟ୍ରାକ୍‌ ପକ୍‌ସୋ କୋର୍ଟ ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାରଣା କରି ଦୁଷ୍କର୍ମକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ଦୋଷୀସାବ୍ୟସ୍ତ ଅଭିଯୁକ୍ତଜଣକ ହେଉଛି, ପର୍ତ୍ତମାହା ଗ୍ରାମର ଲିପୁନ୍ ନାଏକ।

Advertisment

ସୂଚନାନୁସାରେ, ୨୦୧୮ ମସିହା ଜୁନ୍‌ ୨୮ ତାରିଖରେ ଦାରିଙ୍ଗବାଡ଼ି ଥାନା ଇଲାକାର ନା‌ବାଳିକା ଜଣକ ତାଙ୍କ ଦିବ୍ୟାଙ୍ଗ ବାପାଙ୍କ ସହ ସନ୍ଧ୍ୟାରେ ଗୋଟିଏ ଗାଁରୁ ଆଉ ଏକ ଗାଁକୁ ଫେରୁଥିଲେ। ଏହି ସମୟରେ ଲିପୁନ୍ (୨୪) ଓ ତାର କିଛି ସହଯୋଗୀ ଉକ୍ତ ନାବାଳିକାକୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ବାପା ଏନେଇ ଗ୍ରାମବାସୀଙ୍କୁ ଜଣାଇବା ସହ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଥିଲେ। ପ‌ରେ ପୁଲିସ ଅଭିଯୁକ୍ତ ଲିପୁନ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ଡାକ୍ତରୀ ରିପୋର୍ଟ ଆଦିକୁ ଭିତ୍ତି କରି ଫୁଲବାଣୀ ଫାଷ୍ଟଟ୍ରାକ୍ ପକ୍‌ସୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଉପ‌ରୋକ୍ତ ଦଣ୍ଡାଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ କୋର୍ଟର ସରକାରୀ ଓକିଲ ବନମାଳୀ ବେହେରା ମକଦ୍ଦମା ପରିଚାଳନା କରିଥିଲେ।