ଅନୁଗୁଳ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଅଦାଲତ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ତାକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। କୋର୍ଟ ବିବରଣୀ ଅନୁସାରେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବହଳି ଗାଁର ଜଣେ ନାବାଳିକା ଗତ ୨୦୧୩ ମେ’ ୧୨ ତାରିଖରେ ଗାଁ ଶେଷରେ ଥିବା ନଳକୂପକୁ ପାଣି ପାଇଁ ଯାଇଥିଲେ। ଏହି ସମୟରେ ଗାଁର ରବୀନ୍ଦ୍ର ବେହେରା(୩୬) ଏହି ନାବାଳିକାକୁ ଘରକୁ ଡାକିଥିଲା। ନାବାଳିକା ଜଣଙ୍କ ତା’ କଥା ଶୁଣି ଘରକୁ ଯିବା ପରେ ସେ ତା’ ସହ ଦୁଷ୍କର୍ମ କରିଥିଲା।

Advertisment

ଏପଟେ ନାବାଳିକା ଜଣଙ୍କ ଘରକୁ ନ ଫେରିବାରୁ ତା’ ସଂପର୍କୀୟ ଖୋଜାଖୋଜି କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ଘରଲୋକଙ୍କୁ ଦେଖି ରବୀନ୍ଦ୍ର ନାବାଳିକାକୁ ଛାଡ଼ି ଦେଇଥିଲେ। ଏଥିନେଇ ଆଠମଲ୍ଳିକ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପି.ଆର. ବହିଦାରଙ୍କ ଅଦାଲତରେ ଚାଲିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ଏହାସହିତ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ତାଙ୍କୁ ଅତିରିକ୍ତ ୩ ମାସ ଜେଲରେ ରହିବାକୁ ପଡ଼ିବ। ଏହି ମାମଲାକୁ ସରକାରୀ ଓକିଲ ସୁଶାନ୍ତ କୁମାର ମିଶ୍ର ପରିଚାଳନା କରୁଥିଲେ।