ପୁତ୍ରବଧୂ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ୧୭ ବର୍ଷ ଜେଲଦଣ୍ଡ

ରାଇରଙ୍ଗପୁର: ୨୦୧୮ରେ ବହୁଚର୍ଚ୍ଚିତ ପୁତ୍ରବଧୂ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଶ୍ବଶୁରକୁ ୧୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ମାନ୍ୟବର କୋର୍ଟ। ଏପରି ଏକ ସମ୍ବେଦନଶୀଳ ହତ୍ୟା ଘଟଣାରେ ସମସ୍ତ ତଥ୍ୟ ଓ ୪୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ଅଭିଯୁକ୍ତ ରାମ ଗୋପାଲ ଖେମକାକୁ ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜରିମାନା ଏବଂ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ୫ ବର୍ଷ କାରାଦଣ୍ଡ ସହିତ ୩୦୦୦ ଟଙ୍କା ଜରିମାନା ଓ ନାରୀ ନିର୍ଯ୍ୟାତନା ପାଇଁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ଆସାମୀ ରାମ ଗୋପାଲ ଖେମକାକୁ ରାଇରଙ୍ଗପୁର ଉପକାରାଗାରକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଗ୍ରାମର ଦିଲ୍ଲୀପ ଅଗ୍ରୱାଲଙ୍କ ଝିଅ ଶିବାଙ୍ଗୀଙ୍କ ସହିତ ରାଇରଙ୍ଗପୁର ୱାର୍ଡ ନଂ ବ-୫ ର ରାମଗୋପାଲ ଖେମକାଙ୍କ ପୁଅ ଅବିନାଶ ଖେମକାଙ୍କ ସହିତ ବୈଦିକ ରୀତିନିତୀରେ ୨୦୧୫ ମସିହା ୨୮ ଏପ୍ରିଲରେ ବାହାଘର ହୋଇଥିଲା। ତେବେ ୧୨ ଜାନୁଆରି ୨୦୧୮ରେ ଏକ ବଧୂ ନିର୍ଯାତନା ଓ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ରାଇରଙ୍ଗପୁର ଟାଉନଥାନାରେ। ରାଇରଙ୍ଗପୁର ସହରର ବିଶିଷ୍ଟ ବ୍ୟବସାୟୀ ରାମ ଗୋପାଲ ଖେମକା, ତାଙ୍କ ସ୍ତ୍ରୀ ସୁନୀତା ଖେମକା, ପୁଅ ଅବିନାଶ ଖେମକା ଓ ଝିଅ ପାୟଲ ଖେମକାଙ୍କ ନାଁରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ମକଦ୍ଦମା ହୋଇଥିଲା। ଉକ୍ତ ମକଦ୍ଦମାରେ ରାମ ଗୋପାଲ ଖେମକା ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ସାକ୍ଷ୍ୟ ଅଭାବରୁ ଖଲାସ ହୋଇଛନ୍ତି।

ସେପଟେ ସରକାରଙ୍କ ପକ୍ଷରୁ ଉକ୍ତ ମକଦ୍ଦମା ସ୍ପେଶାଲ ପିପି ଅକ୍ଷୟ ମହାନ୍ତି ପରିଚାଳନା କରୁଥିବା ବେଳେ ଓକିଲ ଉମାପଦ ମଣ୍ଡଳ ଓ ମନୋଜ ସେଠୀ ତାଙ୍କୁ ସହଯୋଗ କରୁଥିଲେ।

ସମ୍ବନ୍ଧିତ ଖବର