ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ପୁଲିସ ତଦନ୍ତକୁ ନେଇ ଅସନ୍ତୋଷ

ଯୁବକଙ୍କ ଅଟକକୁ ବିରୋଧ କରି ରାସ୍ତାରୋକ, ଶବ କାନ୍ଧେଇଲେ ଉପଜିଲ୍ଲାପାଳ, ସମାଜସେବୀ

ନବରଙ୍ଗପୁର/କୋଟପାଡ଼: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପୁଲିସ ଏ ଯାଏ ଅପରାଧୀଙ୍କ ପତ୍ତା ଲଗାଇ ପାରିନାହିଁ। ଏଭଳି ଏକ ସମ୍ବେଦନଶୀଳ ଓ ଜଘନ୍ୟ କାଣ୍ଡରେ ପୁଲିସ ତଦନ୍ତ ଉତ୍ସାହଜନକ ଭାବେ ଆଗେଇ ପାରି ନ ଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ଅସଲ ଅପରାଧୀଙ୍କ ପାଖରେ ପହଞ୍ଚି ନ ପାରି ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଗତକାଲି ପୁଲିସ କୋରାପୁଟ ଜିଲ୍ଲା କୋଟପଡ଼ା ଥାନା ଅଞ୍ଚଳର ବାଟକୁହୁଡ଼ି ଗାଁର ଜଣେ ଯୁବକଙ୍କୁ ଉଠାଇ ଆଣିଥିଲା। ଏହାକୁ ବିରୋଧ କରି ଆଜି ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଉକ୍ତ ଯୁବକ ଜଣକ ନିର୍ଦୋଷ ଏବଂ ଏହି ଘଟଣାରେ ଆଦୌ ସଂପୃକ୍ତ ନଥିବା ଗ୍ରାମବାସୀ ପ୍ରକାଶ କରିବା ସହ କୋଟପାଡ଼ ଥାନା ଘେରାଉ କରିଥିଲେ। ଲୋକଙ୍କ ପ୍ରତିବାଦ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପ୍ରାୟ ଗୋଟିଏ ଘଣ୍ଟା ପରେ ପରିସ୍ଥିତି ସ୍ବାଭାବିକ ହେବା ସହ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।

ଶୋକାକୁଳ ପରିବେଶରେ ଶେଷକୃତ୍ୟ

ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଆଜି ପୁଣି ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ଗତକାଲି ଭଳି ଆଜି ମଧ୍ୟ ସନ୍ଧାନୀ କୁକୁର କୋଟପାଡ଼ ଥାନା ଅନ୍ତର୍ଗତ ବାଟକୁହୁଡ଼ି ଗାଁ ପର୍ଯ୍ୟନ୍ତ ଯାଇ ଅଟକି ଯାଇଥିଲା। ବାରମ୍ବାର ଗୋଟିଏ ସ୍ଥାନକୁ କୁକୁର ଯାଉଥିବାରୁ ନିଜେ ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର ଆଜି ଏହି ଗାଁକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ୟପଟେ ପୁଲିସ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରହିଥିବା ସୂଚନା ମିଳିଛି। ଘଟଣା ପଛରେ ଏକାଧିକ ଲୋକ ସଂପୃକ୍ତ ରହିଥିବା ପୁଲିସ ଅଶଙ୍କା କରିବା ସହ ଠୋସ୍ ପ୍ରମାଣ ଯୋଗାଡ଼ କରିବାକୁ ତଦନ୍ତ ପ୍ରକ୍ରିୟାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସାମିଲ କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୩ତାରିଖ ଦିନ ରାତିରେ ନାବାଳିକା ଜଣକ ପରିସ୍ରା କରିବାକୁ ଘର ବାହାରକୁ ଆସିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ପରଦିନ ସକାଳୁ ଗାଁ ଠାରୁ ପ୍ରାୟ ୩ଶହ ମିଟର ଦୂରରେ ଗୋଟିଏ ଜମିରେ ନାବାଳିକା ଜଣକ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ୨ଟି ପୁରୁଷ ଜିନ୍ ପ୍ୟାଣ୍ଟ ଓ ଗୋଟିଏ ହଳ ଚପଲ ପଡ଼ିଥିବାରୁ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଗତକାଲି ସଂଧ୍ୟାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକାଙ୍କ ଶବ ପହଞ୍ଚିବା ପରେ ବିଳମ୍ବିତ ରାତିରେ ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ସମୟରେ ନବରଙ୍ଗପୁର ଏସ୍‌ପି, ନବରଙ୍ଗପୁର ଉପଜିଲ୍ଲାପାଳ ଏବଂ ନାବାଳିକାଙ୍କ ପରିବାର ଲୋକ ଡାକ୍ତରଖାନାରେ ଉପସ୍ଥିତ ଥିଲେ। ରାତି ପ୍ରାୟ ୨ଟାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉପଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ସବ୍ୟସାଚୀ ଜେନା, ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ସଂଜୀବ ବି‌ଷୋୟୀ ପ୍ରମୁଖଙ୍କ ଉପସ୍ଥିତିରେ ଖ୍ରୀଷ୍ଟିଆନ ରୀତିନୀତିରେ ଶବକୁ କବର ଦିଆଯାଇଥିଲା। ଏପରିକି ଉପଜିଲ୍ଲାପାଳ ଓ କଂଗ୍ରେସ ଜିଲ୍ଲା ସଭାପତି ଶବକୁ କାନ୍ଧେଇଥିବା ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ୨ ହଜାର ଟଙ୍କା ଏବଂ ଚାଉଳ ପ୍ରଦାନ କରାଯାଇଛି। ନାବାଳିକାଙ୍କ ପରିବାର ଓ ମା ଘର ପକ୍ଷରୁ ତୁରନ୍ତ ଅପରାଧୀଙ୍କୁ ଚିହ୍ନଟ, ଫାଷ୍ଟଟ୍ରାକ କୋର୍ଟରେ ବିଚାର, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବି ହୋଇଛି। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାରୁ ଏବେ ପୁଲିସର ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର