ଲସିରେ ନିଶା ଦେଇ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍ ଘଟଣା : ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ଏନ୍‌ଏଚ୍ଆରସିଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍‌ ଘଟଣାରେ ଏକ ଆବଦେନର ଶୁଣାଣି କରି ଜାତୀୟ ମାନବାଧିକାର କମିସନ ଗୁରୁତ୍ବପୂର୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଏବଂ ଆସନ୍ତା ଫେବ୍ରୁଆରି ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଗଞ୍ଜାମ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରହ୍ମପୁର ବଡ଼ବଜାର ଥାନା ଇଲାକାର କୈଳାସ ଚନ୍ଦ୍ର ସାହୁ ଓରଫ୍‌ ସମୀରଙ୍କ ଆସିକା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଗତ କିଛି ବର୍ଷ ତ‌ଳେ ପ୍ରେମ ସମ୍ପର୍କ ରଖିଥିଲା। ୨୦୧୬ ମସିହାରେ ବ୍ରହ୍ମପୁରରେ ଲସିରେ ନିଶା ମିଶାଇ ଦୁଷ୍କର୍ମ କରିଥିଲା। ଆଉ ଅଶ୍ଳୀଳ ଫଟୋ ଉଠାଇ ଧମକଚମକ ଦେଇ ଆସୁଥିଲା। କିଛି ଦିନ ତଳେ ଏହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରି ଦେଇଥିଲା। ଏ ନେଇ ଯୁବତୀ ଜଣକ ଆସିକା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୨୦/୨୧ ଅନୁସାରେ ମାମଲା ରୁଜୁ କରି ଗତ ୧୪ତାରିଖରେ ପୁଲିସ ଅଭିଯୁକ୍ତ କୈଳାସକୁ ଗରିଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ପୀଡ଼ିତାଙ୍କୁ ଓଡ଼ିଶା ଭିକ୍ଟିମ୍‌ କମ୍ପେନ୍‌ସେସନ୍‌ ଆକ୍ଟ-୨୦୧୮ ବଳରେ କ୍ଷତିପୂରଣ ଦେବାକୁ ନିବେଦନ କରି ସୂଚନା ଅଧିକାରୀ କର୍ମୀ ଜୟନ୍ତ ଦାସ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। କମିସନ ଏହାର ଆବେଦନର ଶୁଣାଣି କରି ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ପଦକ୍ଷେପ ନେବାକୁ ଗଞ୍ଜାମ ଏସ୍‌ପିଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ତାରିଖରେ ରହିଛି। ସେ ଦିନ ସୁଦ୍ଧା କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର