ସଂଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ନୀଳଗିରିରେ ଅଭିଯୁକ୍ତକୁ ଗଛରେ ବାନ୍ଧି ଛେଚିଲେ ପ୍ରବାସୀ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନସ୍ଥ ତଥା ବରହମପୁର ଥାନା ଅନ୍ତର୍ଗତ ତେଲିପାଳ ଆଶ୍ରମରେ ଥିବା କ୍ୱାରେନଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ବଳପୂର୍ବକ ପ୍ରବେଶ କରି ଗାଧୁଆ ଘର ଭିତରେ ଦୁଷ୍କର୍ମ କରିବା ନେଇ ବରହମପୁର ଥାନାରେ ଅଭିଯୋଗ ହୋଇଛି । ଏ ନେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ଉକ୍ତ ସଂଗରୋଧ କେନ୍ଦ୍ରରେ ୪ ଜଣ ଯୁବତୀଙ୍କ ସମେତ ମୋଟ ୭୭ ଜଣ ପ୍ରବାସୀ ଓଡିଆ ରହୁଛନ୍ତି । ଗୋହିରା ଅଞ୍ଚଳର ରତ୍ନାକର ଜେନା (୫୫) ନାମକ ଜଣେ ବ୍ୟକ୍ତି ଆଜି ସକାଳ ପ୍ରାୟ ୯ଟା ସମୟରେ ସଂଗରୋଧ କେନ୍ଦ୍ରକୁ ବଳପୂର୍ବକ ପ୍ରବେଶ କରି ଜଣେ ଯୁବତୀ ଅସୁସ୍ଥ ହୋଇ ଗାଧୁଆ ଘର ଭିତରେ ବାନ୍ତି କରୁଥିବା ବେଳେ ତାଙ୍କୁ ସେ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଯୁବତୀ ଜଣକ ପାଟି କରିବାରୁ ତାଙ୍କର ୩ ଜଣ ସହଯୋଗୀ ସେଠାକୁ ଦୌଡ଼ି ଆସିଥିଲେ ।

ସଂଗରୋଧ କେନ୍ଦ୍ରରେ ଏହି ଘଟଣା ଜଣାପଡ଼ିବା ପରେ ଉତ୍ୟକ୍ତ ପ୍ରବାସୀମାନେ ରତ୍ନାକରକୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଯୁବତୀ ଜଣକ ନ୍ୟାୟ ପାଇଁ ସୁରକ୍ଷା କର୍ମୀ ପ୍ରତାପ ବାରିକଙ୍କ ସହ ଅଭିଯୁକ୍ତ ରତ୍ନାକରଙ୍କ ବିରୋଧରେ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବରହମପୁର ପୁଲିସ ପହଞ୍ଚି ଅଭିଯୁକ୍ତ ରତ୍ନାକରକୁ ନିଜ ହେପାଜତରେ ନେବା ସହ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

ତେବେ କରୋନା ମୁକାବିଲା ପାଇଁ ସମଗ୍ର ବିଶ୍ୱ ସହ ଓଡ଼ିଶା ବି ଲଢ଼େଇ ଜାରି ରଖିଥିବା ବେଳେ ସୁରକ୍ଷା ପାଇଁ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ଘୃଣ୍ୟ କାମ ଉଦ୍ୟମକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି । ଏଥି ସହିତ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

ସମ୍ବନ୍ଧିତ ଖବର