ଢେଙ୍କିକୋଟ: ବନ୍ଧୁ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଯୌନାଙ୍ଗରେ ଟାଙ୍ଗିଆ ବେଣ୍ଟ ଭର୍ତ୍ତି କରି ଅତି ବୀଭତ୍ସ ଭାବରେ ହତ୍ୟା କରିଛି। ମୃତ ମହିଳା ହେଲେ ମୁଣ୍ଡାଟାଙ୍ଗର ଗ୍ରାମର ସରସ୍ବତୀ ମୁଣ୍ଡା। ଘଟଣା ୨୪ ତାରିଖ ରାତିରେ ଘଟିଥିବା ବେଳେ ଆଜି ମହିଳାଙ୍କ ଝିଅଙ୍କ ଅଭିଯୋଗ କ୍ରମେ ପୁଲିସ ମାଟିତଳୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଘଟଗାଁ ବ୍ଲକ୍ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଣ୍ଡାଟାଙ୍ଗର ଗ୍ରାମର ବୀର ମୁଣ୍ଡାଙ୍କ ଦୁଇଜଣ ପତ୍ନୀ ଅଛନ୍ତି। ୨୪ ତାରିଖରେ ବୀରଙ୍କ ସଙ୍ଗାତ ଖାଳିଆଡିହା ଗ୍ରାମର ପୁରୁଷୋତ୍ତମ ନାଏକ (୫୫) ତାଙ୍କ ଘରକୁ ଆସିଥିଲେ। ଉଭୟ ହାଟକୁ ଯାଇଥିଲେ। ଘରକୁ ଫେରି ମାଂସ ଭୋଜି କରିଥିଲେ। ବୀର ରାତିରେ ପ୍ରଥମ ପତ୍ନୀଙ୍କ ସହ ଥିବାବେଳେ ତାଙ୍କ ଦ୍ବିତୀୟ ପତ୍ନୀ ସରସ୍ବତୀ ଅନ୍ୟକୋଠରିରେ ଶୋଇଥିଲେ। ସେହି କୋଠରିରେ ପୁରୁଷୋତ୍ତମ ଶୋଇଥିଲେ। ରାତିରେ ସରସ୍ବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ସରସ୍ବତୀ ଏହାର ବିରୋଧ କରିବାରୁ ପୁରୁଷୋତ୍ତମ ଏକ ଟାଙ୍ଗିଆ ବେଣ୍ଟ ଆଣି ତାଙ୍କ ଯୌନାଙ୍ଗରେ ଭର୍ତ୍ତି କରିଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ମହିଳା ଜଣଙ୍କ ଗୁରୁତର ହୋଇପଡ଼ିଥିଲେ।
ପରଦିନ ସରସ୍ବତୀଙ୍କ ସ୍ବାମୀ ବୀର ପ୍ରଥମେ ଝାରବେଡ଼ା ଓ ପରେ ପଣ୍ଡାପଡ଼ା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ସରସ୍ବତୀଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ବୀର କାହାକୁ କିଛି ନ ଜଣାଇ ଶବ ଆଣି ମୁଣ୍ଡାଟାଙ୍ଗର ଗ୍ରାମର ନିଜ ଘର ନିକଟରେ ପୋତି ଦେଇଥିଲେ। ଡାକ୍ତରଖାନା ଯିବା ପୂର୍ବରୁ ମହିଳା ଜଣଙ୍କ ସଉତୁଣୀର ବଡ଼ଝିଅଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ବିଳମ୍ବରେ ହେଲେ ମଧ୍ୟ ଯୁବତୀ ଜଣଙ୍କ ମୁହଁ ଖୋଲିଥିଲେ। ଏ ସମ୍ପର୍କରେ ସେ ଆଜି ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ କେସ୍ ନମ୍ବର ୧୫୨/୨୦୨୨ରେ ଏକ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ ଓ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀସେନ ବାଗ ମୁଣ୍ଡାଟାଙ୍ଗର ଯାଇଥିଲେ। ଘଟଗାଁ ତହସିଲଦାର ଜନକ କୁମାର ନାଏକଙ୍କ ଉପସ୍ଥିତିରେ ମାଟି ଖୋଳି ଶବ ବାହାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅଭିଯୁକ୍ତ ପୁରୁଷୋତ୍ତମକୁ ପୁଲିସ ଆଜି ସନ୍ଧ୍ୟାରେ ଗିରଫ କରିଛି।