ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଆସାମୀକୁ ୧୦ ବର୍ଷ ଜେଲ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳର ୮ ବର୍ଷ ତଳର ଏକ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାର ରାୟ ଆଜି ପ୍ରକାଶ ପାଇଛି। ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଜଜ୍ ସୁମିତା ଜେନା ଆସାମୀ ଶମ୍ଭୁ ସିଂ(୨୯)କୁ ୧୦ ବର୍ଷ ଜେଲ୍‌ ଦଣ୍ଡା ପ୍ରଦାନ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଯଥାଶୀଘ୍ର ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ; ୨୦୧୪ ମସିହା ଜୁଲାଇ ୨୭ ତାରିଖରେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା (୧୫)ଙ୍କୁ ଘରୁ ଟେକି ନେଇଥିଲା ଶମ୍ଭୁ। ନାବାଳିକାଙ୍କୁ ନିଜ ଘରକୁ ନେଇ ମିଠାରେ ନିଶା ମିଶାଇ ଖୁଆଇ ଦେଇଥିଲା। ନାବାଳିକା ଜଣକ ଚେତାଶୂନ୍ୟ ହେବା ପରେ ତାଙ୍କୁ ଜଣେ ସାଙ୍ଗ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ନାବାଳିକାଙ୍କ ପରିବାର ଲୋକେ ଝିଅକୁ ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ବାଲେଶ୍ବର ଅପହରଣ କରିନେଇ ସେଠାରେ ୬ଦିନ କାଳ ଦୁଷ୍କର୍ମ କରିଥଲା। ଶେଷରେ ପୁଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ୨୦୧୪ ଅଗଷ୍ଟ ୭ ତାରିଖରେ ଅଭିଯୁକ୍ତ ଶମ୍ଭୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ସେହିଦିନରୁ ଶମ୍ଭୁ ବାରିପଦା ସର୍କଲ ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ରହି ଆସୁଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର