୬୦ ଦିନରେ ତଦନ୍ତ ଶେଷ ନିର୍ଦ୍ଦେଶ : ଦୁଷ୍କର୍ମ ମାମଲାରେ ଆଇଓଙ୍କୁ ଟାର୍ଗେଟ୍‌, ଖିଲାଫକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

କଟକ : ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହେବାର ୬୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ ପଡ଼ିବ। ନିୟମ ଖିଲାଫ କଲେ ସମ୍ପୃକ୍ତ ମାମଲାରେ ତଦନ୍ତକାରୀ ଅଧିକାରୀ(ଆଇଓ) ଉତ୍ତରଦାୟୀ ରହିବେ। କୋର୍ଟର ନିର୍ଦ୍ଦେଶ ମୁତାବକ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସ˚କ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜିଲ୍ଲା ଏସ୍‌ପି/ଡିସିପିଙ୍କୁ କ୍ରାଇମ୍‌ବ୍ରାଞ୍ଜ ଏଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୮ରେ ସିଆର‌୍‌ପିସିର ଧାରା ୧୭୩(୧ଏ)ର ସ˚ଶୋଧନ ପରେ ଧର୍ଷଣ ଜନିତ ମାମଲାରେ ରୁଜୁ ହେଉଥିବା ଦଫା ୩୭୬, ୩୭୬(ଏ), ୩୭୬(ଏବି), ୩୭୬(ବି), ୩୭୬(ସି), ୩୭୬(ଡି), ୩୭୬(ଡିଏ), ୩୭୬ ଡିବି କିମ୍ବା ୩୭୬(ଇ)ରେ ମାମଲାର ତଦନ୍ତ ଏଣିକି ଦୁଇ ମାସ ମଧ୍ୟରେ ଶେଷ ହେବ। ଅର୍ଥାତ ଥାନାରେ ମାମଲା ରୁଜୁ ହେବାର ୬୦ ଦିନ ମଧ୍ୟରେ ତଦନ୍ତକାରୀ ଅଧିକାରୀ ତଦନ୍ତ ଶେଷ କରିବାକୁ ବାଧ୍ୟ। ସ˚ଶୋଧନ ହୋଇଥିବା ନୂଆ ନିୟମରେ ଏଭଳି ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଧାର୍ଯ୍ୟ ସମୟ ଗଡ଼ିଯାଉଥିଲେ ଆଇଓ ତଦନ୍ତ ଶେଷ କରିନପାରିଲେ ସିଆର‌୍‌ପିସିର ଧାରା ୧୭୩(୮) ଅନୁଯାୟୀ, ପ୍ରାଥମିକ ଚାର୍ଜିସିଟ୍‌ କୋର୍ଟରେ ଦାଖଲ କରିବା ସହିତ ତଦନ୍ତ ଜାରି ରଖାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ରିପୋର୍ଟ କୋର୍ଟରେ ଦାଖଲ ନକଲେ ଜେଲ୍‌ରେ ଥିବା ଅଭିଯୁକ୍ତ ଜାମିନ୍‌ରେ ଖଲାସ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ରାଜ୍ୟରେ ଏବେ ଦୁଷ୍କର୍ମ ମାମଲା ଭୟାନକ ସ୍ଥିତିରେ ପହଞ୍ଚିଲାଣି। କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ମୁତାବକ, ରାଜ୍ୟରେ ୨୦୧୩ ବର୍ଷରେ ୧୮୩୨ଟି ମହିଳାଙ୍କୁ ଦୁଷ୍କର୍ମ ଜନିତ ମାମଲା ରୁଜୁ ହୋଇଛି। ସେହିପରି ୨୦୧୪ରେ ୨୦୧୧ଟି, ୨୦୧୫ରେ ୨୨୮୬ଟି, ୨୦୧୬ରେ ୨୧୪୪ଟି, ୨୦୧୭ରେ ୨୨୨୧ଟି ଏବ˚ ୨୦୧୮ରେ ୨୫୦୨ ମାମଲା ଥାନାରେ ରୁୁଜୁ ହୋଇଛି। କେବଳ ୨୦୧୭ ଓ ୨୦୧୮ ବର୍ଷରେ ମୋଟ ୧୫୨୬ ମାମଲାର ଚାର୍ଜସିଟ୍‌ କରାଯାଇଛି। ୨୦୧୩ରେ ପ୍ରଥମ ସ୍ଥାନରେ ଥିବା ମୟୁରଭଞ୍ଜରେ ୧୪୨ଦୁଷ୍କର୍ମ ମାମଲା, ଦ୍ବିତୀୟ ସ୍ଥାନରେ ଥିବା କେନ୍ଦୁଝରରେ ୧୧୫ଟି, ତୃତୀୟ ସ୍ଥାନରେ ଥିବା ବାଲେଶ୍ବରରେ ୯୪ଟି ଏବ˚ ଚତୁର୍ଥ ସ୍ଥାନରେ ଥିବା ସମ୍ବଲପୁରରେ ୮୧ଟି ମାମଲା ରୁଜୁ ହୋଇଛି। ସେହିପରି ୨୦୧୪ରେ ପ୍ରଥମ ସ୍ଥାନରେ ଥିବା ମୟୁରଭଞ୍ଜରେ ୧୫୫ଟି, ଦ୍ବିତୀୟ ସ୍ଥାନରେ ଥିବା ବାଲେଶ୍ବରରେ ୧୨୧ଟି, ତୃତୀୟ ସ୍ଥାନରେ ଥିବା କେନ୍ଦୁଝରରେ ୧୦୩ଟି ଏବ˚ ଚତୁର୍ଥ ସ୍ଥାନରେ ଥିବା କଳାହାଣ୍ତିରେ ୧୦୧ଟି ମାମଲା ରୁଜୁ ହୋଇଛ। ୨୦୧୫ରେ ପ୍ରଥମ ସ୍ଥାନରେ ଥିବା ମୟୁରଭଞ୍ଜରେ ୧୬୮ଟି, ଦ୍ବିତୀୟ ସ୍ଥାନରେ ଥିବା ବାଲେଶ୍ବର ଓ ଯାଜପୁରରେ ୧୨୫ଟି, ତୃତୀୟ ସ୍ଥାନରେ ଥିବା କୋରାପୁଟରେ ୧୧୯ଟି ଏବ˚ କେନ୍ଦୁଝରରେ ୧୦୭ଟି ମାମଲା ରୁଜୁ ହୋଇଛି। ୨୦୧୬ରେ ପ୍ରଥମ ସ୍ଥାନରେ ଥିବା ମୟୁରଭଞ୍ଜରେ ୧୬୦ଟି, ଦ୍ବିତୀୟ ସ୍ଥାନରେ ଥିବା ବାଲେଶ୍ବରରେ ୧୨୩ଟି, ତୃତୀୟ ସ୍ଥାନରେ ଥିବା କୋରାପୁଟ ୧୦୭ଟି ଏବ˚ ଚତୁର୍ଥ ସ୍ଥାନରେ ଥିବା ଭଦ୍ରକରେ ୯୮ଟି ମାମଲା ରୁଜୁ ହୋଇଛି। ୨୦୧୭ରେ ପ୍ରଥମ ସ୍ଥାନରେ ଥିବା ମୟୁରଭଞ୍ଜରେ ୧୬୨ଟି, ଦ୍ବିତୀୟ ସ୍ଥାନରେ ଥିବା ଭୁବନେଶ୍ବର ୧୨୫ଟି, ତୃତୀୟ ସ୍ଥାନରେ ଥିବା କୋରାପୁଟରେ ୧୧୭ଟି, ଚତୁର୍ଥ ସ୍ଥାନରେ ଥିବା ବାଲେଶ୍ବରରେ ୧୧୬ଟି ମାମଲା ରୁଜୁ ହୋଇଛି। ସର୍ବାଧିକ ଦୁଷ୍କର୍ମ ପ୍ରବଣ ତାଲିକାରେ ନାଁ ନଥିବା ଭୁବନେଶ୍ବର ୨୦୧୭ ବର୍ଷରେ ଦ୍ବିତୀୟ ସ୍ଥାନକୁ ଆସିଛି। ଏଭଳି ସ୍ଥିତିରେ ସିଆର‌୍‌ପିସିରେ ସ˚ଶୋଧନ ଜରୁରୀ ହୋଇପଡ଼ିଥିଲା। ମାମଲାକୁ ଅଯଥା ବିଳମ୍ବ କରିବାରୁ ପ୍ରମାଣ ନଷ୍ଟ ହେବାର ଆଶଙ୍କା ଥିଲା। ସେଥିପାଇଁ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର