ଦୁଷ୍କର୍ମ ଅଭିଯୋଗ ପରେ ପ୍ରଧାନ ଶିକ୍ଷକ ଫେରାର

ମିଠୁ ଭଳି ଅଭିଯୋଗ ଏବେ ଲମ୍ବିବାରେ ଲାଗିଛି, ସନ୍ଦେହରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଭୂମିକା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଏକ ସ୍କୁଲର ପୂର୍ବ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବିଳମ୍ବରେ ହେଲେ ମଧ୍ୟ ମାମଲା ରୁଜୁ ହୋଇଛି। ସେ ସଂପୃକ୍ତ ସ୍କୁଲର ଜଣେ ନାବାଳିକା ଛାତ୍ରୀଙ୍କ ଦୁଷ୍କର୍ମ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ କୌଣସି ତଦନ୍ତ ନିଜଆଡୁ କରିନଥିବା ବେଳେ ଗତକାଲି ମାମଲା ରୁଜୁ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ ହୋଇଛି। ଏନେଇ କୁଆଡେ ଜିଲ୍ଲାପାଳ ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଘଟଣା ପ୍ରଘଟ ହେବାର ବହୁଦିନ ପରେ ମଧ୍ୟ ଶିଶୁ ମଙ୍ଗଳ ସମିତି ପକ୍ଷରୁ କୌଣସି ତଦନ୍ତ କରାଯାଇନଥିବା ବେଳେ ବର୍ତ୍ତମାନ ମାମଲା ରୁଜୁ ହେବା ପରେ ହଠାତ ଶିଶୁ ମଙ୍ଗଳ ସମିତି ଚଳଚଞ୍ଚଳ ହୋଇଛି। ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ମିଳିତ ଟିମ ସଂପୃକ୍ତ ସ୍କୁଲକୁ ଯାଇଥିଲେ। ଏହି ଟିମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ସ୍ବର୍ଣ୍ଣଲତା ମହାନ୍ତି, ଅନ୍ୟତମ ସଦସ୍ୟ ସତ୍ୟନାରାୟଣ ମହାପାତ୍ର ଉକ୍ତ ସ୍କୁଲକୁ ଯାଇ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ଆହୁରି ବହୁ ଛାତ୍ରୀ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ମିଠୁ ଭଳି ଅଭିଯୋଗ କରିବା ଘଟଣା ଆଲୋଡନ ସୃଷ୍ଟି ହୋଇଛି। ଆସନ୍ତାକାଲି ଛାତ୍ରୀମାନେ ପୁଲିସ ସମ୍ମୁଖରେ ବୟାନ ରଖିବେ ବୋଲି ଖବର ଜଣାପଡିବା ପରେ ମାମଲାଟି ଏବେ ଭିନ୍ନ ମୋଡ ନେଇଛି। କେତେକ ନେତା ଆତ୍ମଗୋପନ କରିଥିବା ଶିକ୍ଷକଙ୍କୁ ସୁରକ୍ଷା ଦେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ସ୍କୁଲକୁ ବିଭିନ୍ନ ସମୟରେ କେତେକ ନେତା ଓ ଅଧିକାରୀଙ୍କ ସମେତ ଅନେକ କ୍ଷମତାଶାଳୀ ବ୍ୟକ୍ତି ପରିଦର୍ଶନରେ ଆସି ରାତି ବିତାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର