ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗକୁ ନେଇ ଜୋର ଧରିଛି ରାଜନୀତି। ଆଜି ବିରୋଧୀ ସରକାରଙ୍କ' ମୋ ସରକାର' ଓ ୫'ଟି' କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ଯେ, ଏବେ ପୁଲିସ କ୍ବାର୍ଟର୍ସ୍ ଭୋଗଶାଳାର କେନ୍ଦ୍ର ପାଲଟିଛି। କଂଗ୍ରେସ ସମାଲୋଚନା କରିବା ସହ ପୁଲିସର ଉଚ୍ଛୃଙ୍ଖଳ ଆଚରଣ ଉପରେ ଲଗାମ କଷିବାକୁ ଦାବି କରିଛି। ଅନ୍ୟପଟେ ମହିଳା ହିଂସା ଉପରେ ରାଜନୀତି ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କରିଥିବା ଅନୁରୋଧକୁ ମନେପକାଇବାକୁ ବିରୋଧୀଙ୍କୁ ବିଜେଡି ପରାମର୍ଶ ଦେଇଛି। ତେବେ ଏହି ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ଘଟଣାର ନିମାପଡ଼ା ଏସଡିପିଓ ତଦନ୍ତ କରୁଛନ୍ତି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପୁଲିସ ଉପରେ ଲଗାମ କଷନ୍ତୁ ସରକାର: କଂଗ୍ରେସ
ବଳଙ୍ଗା ଘଟଣାରେ ଏସଡିପିଓଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ଗୃହ ରାଷ୍ଟ୍ରମନ୍ତ୍ରୀ
ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅନୁସରଣ କରିବାକୁ ବିଜେଡିର ପରାମର୍ଶ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରି କହିଥିଲେ, ଗୋଟିଏ କେସ୍ରେ ବଳଙ୍ଗା ଥାନାକୁ ଅଭିଯୋଗ କରିବାକୁ ୩ ମାସ ହେଲା ଦୌଡ଼ିବା ପରେ ନିମାପଡ଼ା ଅଞ୍ଚଳର ଜନୈକ ମହିଳାଙ୍କୁ ଏଏସଆଇ ଶ୍ରୀ ଦାସ ବାରମ୍ବାର ଦୁଷ୍କର୍ମ କରିଥିଲେ। ପୁଲିସ ସୁରକ୍ଷା ଦେବା ଆଳରେ ମହିଳାଙ୍କ ଇଜ୍ଜତ ଲୁଟିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାରଙ୍କ ପୁଲିସ ଉପରେ ଲୋକଙ୍କର ଆସ୍ଥା ତୁଟିଗଲାଣି। ଗତ କିଛି ଦିନ ତଳେ ପୁରୀରେ ଜଣେ ପୁଲିସ ମହିଳାଙ୍କୁ କ୍ବାର୍ଟର୍ସ୍ ଭିତରେ ଦୁଷ୍କର୍ମ କରିଥିଲେ। ଏବେ ଏହି ଘଟଣା ପ୍ରମାଣିତ କରୁଛି ଯେ, ପୁଲିସ ବିଭାଗରେ କାର୍ଯ୍ୟକାରୀ ହେଉଥିବା 'ମୋ ସରକାର' କାର୍ଯ୍ୟକ୍ରମ କେବଳ ପ୍ରଚାର ସର୍ବସ୍ବ ପାଲଟିଛି। ବଳଙ୍ଗା ଥାନା ଘଟଣାରେ ନିମାପଡ଼ା ଅଞ୍ଚଳରେ ଜଣେ ବିଜୁ ଜନତା ଦଳର ନେତାଙ୍କର ସମ୍ପୃକ୍ତି ରହିଛି ଏବଂ ସେ ଏହି ଘଟଣାକୁ ଚପାଇ ଦେବା ପାଇଁ ଅହରହ ପ୍ରୟାସ ଚଳାଇଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ସେ ଆହୁରି ଦର୍ଶାଇଥିଲେ, କେନ୍ଦ୍ରାପଡ଼ାରେ ନିକିରାଇ ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ମାଡ଼ ମାରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ବିଧବା କରିଦେବା ପାଇଁ ପୁଲିସ ଧମକ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା। ମହିଳାଙ୍କ ବିରୋଧରେ ବାରମ୍ବାର ଘଟୁଥିବା ହିଂସା ନେଇ ସ୍ବର ଉଠାଇଲେ ବିରୋଧୀ ରାଜନୀତି ନ କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଉଛି। ଏବେ ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ବିଜେଡି କି ଜବାବ ଦେବ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସରକାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଇ ସାଧାରଣରେ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମହାନ୍ତି ଦାବି କରିଥିଲେ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରି କହିଛନ୍ତି, ପୁଲିସ ରକ୍ଷକ ହୋଇ ଭକ୍ଷକ ସାଜିଛି। ଆଗରୁ ରଥଯାତ୍ରା ସମୟରେ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ପୁଣି ଏବେ ନୂଆ ବର୍ଷରେ ପୁଲିସ ବିରୋଧରେ ଅଭିଯୋଗ ଆସିଛି। ରାଜ୍ୟରେ ମହିଳା ଓ ନାବାଳିକା ଦୁଷ୍କର୍ମ ନେଇ ବିଧାନସଭାରେ ସ୍ବର ଉଠିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ସରକାର ଚିରାଚରିତ ଭାବେ ଉତ୍ତର ରଖିଥିଲେ। ବିରୋଧୀଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଥିଲେ, ରାଜ୍ୟରେ ଘଟୁଥିବା ବିଭିନ୍ନ ମହିଳା ହିଂସା ମାମଲାରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏଭଳି ଘଟଣାରେ ବିରୋଧୀ ରାଜନୀତି କରିବା ଆଦୌ ଉଚିତ ନୁହେଁ ବୋଲି ଦଳ ବାରମ୍ବାର କହି ଆସିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ହିଂସା ଭଳି ଘଟଣାରେ ରାଜନୀତି ନ କରିବା ପାଇଁ ଅନୁରୋଧ କରିଥିଲେ। ଏବେ ପ୍ରଧାନମନ୍ତ୍ରୀଙ୍କ କଥାକୁ ରାଜ୍ୟ ବିଜେପି ନେତାମାନେ ଶୁଣିବା ଉଚିତ ବୋଲି ବିଜେଡି ମୁଖପାତ୍ର କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Odisha-Police.jpg)