ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସରେ ଆନ୍ଦୋଳନ ଚେତାବନୀ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଆମ୍ ଆଦମୀ ପାର୍ଟି

ଭୁବନେଶ୍ବର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ଆନ୍ଦୋଳନ ଚେତାବନୀ ଦେଇଛି। ଆଜି ଏକ ପ୍ରତିନିଧିଦଳ ଡିସିପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ମାମଲାରେ ସମ୍ପୃକ୍ତ ଥିବା ଘରୋଇ ଟିଭି ଚ୍ୟାନେଲର କର୍ମଚାରୀ ଓ ପୁଲିସ୍‌ କର୍ମଚାରୀଙ୍କୁ ୪୮ ଘଣ୍ଟା ଭିତରେ ଗିରଫ କରିବା ପାଇଁ ଦାବି କରିଛି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ମହିଳା କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି କହିଛନ୍ତି। ଏହି ପ୍ରତିନିଧିଦଳରେ ଶ୍ରୀୟାସ୍ମିତା ପଣ୍ଡା, ଲକ୍ଷ୍ମୀପ୍ରିୟା ଦାସ, ଲତିକା ବାରିକ, ବନଲତା ବାରିକ, ନମିତା ମହାନ୍ତି, ଅନସୂୟା ରାୟ ପ୍ରମୁଖ ସାମିଲ ଥିଲେ।

ସେହିପରି ଆମ୍ ଆଦମୀ ପାର୍ଟି ଏହି ମାମଲାରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିରୋଧ ପ୍ରଦର୍ଶନ କରିଛି। ପାର୍ଟି ପକ୍ଷରୁ କୁହାଯାଇଛି, ବର୍ଷକୁ ରାଜ୍ୟରେ ପ୍ରାୟ ୨ହଜାର ଦୁଷ୍କର୍ମ ମାମଲା ଆସୁଛି। ପୁଲିସ କର୍ମଚାରୀଙ୍କ ବିରୋଧରେ ମହିଳାଙ୍କ ଉତ୍ପୀଡ଼ନ ଅଭିଯୋଗ ଆସୁଛି। ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ତେଣୁ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ପାର୍ଟି ଦାବି କରିଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଆପ୍‌ର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ, ସମ୍ପାଦକ ପ୍ରଦୀପ୍ତ ନନ୍ଦ ଓ କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର