ଭିନ୍ନକ୍ଷମ ଯୁବତୀଙ୍କୁ ଦୁର୍ଷ୍କମ ଘଟଣା: ଫେରାର ଅଭିଯୁକ୍ତ କାକା ପୁରୀରୁ ଗିରଫ

ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ପୁରୀ ଜିଲ୍ଲା ବାସେଳିସାହିରୁ ଗିରଫ କରାଯାଇଛି। ନୟାଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ଫତେଗଡ଼ ଥାନା ପୁଲିସ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ଅଭିଯୁକ୍ତ ନବଘନ ପଣ୍ଡା ଭାପୁର ବ୍ଲକ୍‌ ବିଜିପୁର ପଞ୍ଚାୟତ ସୁନାଖାଳା ଗ୍ରାମର ବାସିନ୍ଦା। ସେ କିଛି ମାସ ଧରି ତାଙ୍କର ଜଣେ ସମ୍ପର୍କୀୟା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଝିଆରୀ ଜଣକ ଭିନ୍ନକ୍ଷମ ହୋଇଥିବାରୁ ନବଘନ ଏହାର ଫାଇଦା ଉଠାଇଥିଲେ। ଯୁବତୀ ଜଣକ ୫ ମାସର ଗର୍ଭବତୀ ହୋଇଯିବା ପରେ ଘଟଣା ପଦାକୁ ଆସିଥିଲା। ଫଳରେ ପାଖାପାଖି ଏକ ସପ୍ତାହ ହେବ ନବଘନ ଗାଁ ଛାଡ଼ି ଫେରାର ହୋଇଯାଇଥିଲେ।

ପୀଡ଼ିତାଙ୍କ ସାନ ଭଉଣୀଙ୍କ ଏତଲା ଆଧାରରେ ପ୍ରଥମେ ଏନେଇ ଭୁବନେଶ୍ବରସ୍ଥିତ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ପରେ ଗତ ୬ ତାରିଖରେ ଉକ୍ତ ମାମଲା ଫତେଗଡ଼ ଥାନାକୁ ସ୍ଥ‌ାନାନ୍ତରିତ ହୋଇଥିଲା। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମଧୁସ୍ମିତା (ଛଦ୍ମନାମ, ବୟସ ୩୧) ଜଣେ ମୂକ, ବଧିର ଯୁବତୀ। ସେ ବାପା-ମା’ଙ୍କ ସହିତ ଗାଁରେ ରହୁଥିବା ବେଳେ, ତାଙ୍କ ସାନଭଉଣୀ ମଧୁଛନ୍ଦା (ଛଦ୍ମନାମ) ଭୁବ‌ନେଶ୍ବରରେ ରୁହନ୍ତି। କିଛି ମାସ ହେବ ମଧୁସ୍ମିତା ଅସୁସ୍ଥ ହୋଇପଡ଼ିବାରୁ, ବାପା-ମା’ ତାଙ୍କୁ ଗତ ୪ ତାରିଖରେ ଭୁବନେଶ୍ବର ନେଇଯାଇଥିଲେ। ସେଠାରେ ମଧୁଛନ୍ଦାଙ୍କୁ, ବଡ଼ଭଉଣୀର ଏଭଳି ସନ୍ଦିଗ୍ଧ ଗର୍ଭବସ୍ଥା ସମ୍ପର୍କରେ ତାଙ୍କ ମା’ କହିଥିଲେ। ଏହା ପରେ ବଡ଼ଭଉଣୀ ମଧୁସ୍ମିତାଙ୍କୁ ସାନ ଭଉଣୀ ଘଟଣା ସମ୍ପର୍କରେ ସବିଶେଷ ପଚରଉଚରା କରିଥିଲେ। ଏହା ପରେ ବଡ଼ଭଉଣୀ ତଥା ଭିନ୍ନକ୍ଷମ ମଧୁସ୍ମିତା ଘଟଣା ସମ୍ପର୍କରେ ଜଣାଇଥିଲେ। ତାଙ୍କୁ ବାରମ୍ବାର ପଡ଼ୋଶୀ କାକା ନବଘନ ଦୁଷ୍କର୍ମ କରିଥିବା, ଘଟଣା ପ୍ରଘଟ କଲେ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କୌଣସି ପ୍ରକାରେ ସୂଚନା ଦେଇଥିଲେ। ତେବେ ଅଭିଯୁକ୍ତ ନବଘନ ଗୟାଧର ପରିଡ଼ାଙ୍କ ସହଯୋଗୀ ହୋଇଥିବାରୁ ଶ୍ରୀ ପରିଡ଼ା ଓ ନବଘନ ଉଭୟ ଗର୍ଭପାତ କରିବାକୁ ଚାପ ପକାଇଥିବା ଏବଂ ଥାନାରେ ଅଭିଯୋଗ ନ କରିବାକୁ ଧମକ ଦେଇଥିବା ଅଭିଯୋଗ ରହିଛି। ଘଟଣାର ତଦନ୍ତକାରୀ ଅଧିକାରୀ ଫତେଗଡ଼ ଥାନା ଏସ୍‌ଆଇ ରାଜେଶ କୁମାର ଶ୍ରୀଚନ୍ଦନଙ୍କ ସମେତ ଜିଲ୍ଲା ପୁଲିସର ଏକ ଟିମ୍‌ ଶେଷରେ ନବଘନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର