କେବେ ଚେତିବେ ସରକାର?
ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା ବଢ଼ୁଛି, ହୁଗୁଳି ଗଲାଣି ପୁଲିସ ଶାସନ
ଭୁବନେଶ୍ୱର : ଜିଲ୍ଲାପାଳଙ୍କ ଠାରୁ ପୁଲିସ ଡିଜିଙ୍କ ପର୍ଯ୍ୟନ୍ତ ନ୍ୟାୟ ମାଗି ମାଗି ନିରାଶ ହେଲେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ। ତାଙ୍କୁ ପୋଡ଼ି ମାରିଦେଲେ, ଅଭିଯୁକ୍ତ ଧରାପଡିଲାନି। କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ଓଡ଼ିଶା ପଡୁଛି ଉଠୁଛି। ସ୍ଥିତି ଏମିତି ଯେ ଏ ମାମଲାରେ ପୁଲିସ ଯାହା କହୁଛି, ତାକୁ କେହି ବିଶ୍ୱାସ କରିବାକୁ ନାରାଜ। ପୁଲିସ ଉପରେ ସାଧାରଣ ଲୋକଙ୍କ ଏଭଳି ଅବିଶ୍ୱାସ ଭାବ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ବାଣପୁର ସୁଆଁପଡ଼ିଆ ଦୁଷ୍କର୍ମ ପୀଡିତାକୁ ୨୪ ଦିନ ପରେ ବି ନ୍ୟାୟ ମିଳିଲାନି। ଶେଷରେ ନିରାଶ ହୋଇ ଆତ୍ମହତ୍ୟା କଲା ପୀଡ଼ିତା।
Sambad is now on WhatsApp
Join and get latest news updates delivered to you via WhatsApp
ଏ ହେଉଛି ଆମ ରାଜ୍ୟର ଦୃଶ୍ୟ, ଯେଉଁଠି ପୁଲିସ ପ୍ରଶାସନ ମାନବିକତା ହରାଇଛି। ଏସବୁ ଘଟଣା ସୂଚାଇ ଦେଉଛି, ରାଜ୍ୟରେ ହୁଗୁଳା ହୋଇଗଲାଣି ପୁଲିସ। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଆଡ଼କୁ ଟାଣି ହେଲାଣି। ପ୍ରତିଦିନ ମହିଳା ଓ ଶିଶୁଙ୍କ ସହିତ ଅଭାବନୀୟ ଘଟଣା ଘଟୁଛି। ଚୋରି, ଡକାୟତି ବଢୁଛି, ହତ୍ୟା ମଧ୍ୟ। କିଏ ମହିଳାଙ୍କୁ ଅସଦାଚରଣ କଲେଣି ତ ଆଉ କେଉଁଠି ନାବାଳିକା ସହିତ ଦୁଷ୍କର୍ମ ହେଉଛି। ଏପରିକି ଭିନ୍ନକ୍ଷମ ବି ବାଦ୍ ପଡୁନାହାନ୍ତି। ସଭା ସମିତି ଭଣ୍ଡୁର କଲାବେଳେ ପୁଲିସ ବାବୁମାନେ ଯେଭଳି ତାକତ ଦେଖାଉଛନ୍ତି, ଥାନାରେ ନ୍ୟାୟ ଦେବା କ୍ଷେତ୍ରରେ ସେପରି ନିଷ୍ଠା, ଆନ୍ତରିକତା, ନିରପେକ୍ଷତା ପ୍ରଦର୍ଶନ କରୁନଥିବା ଅଭିଯୋଗ ବଢିବାରେ ଲାଗିଛି।
ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା କେବଳ ମଣିଷପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ତା ନୁହେଁ, ହୁଗୁଳା ବ୍ୟବସ୍ଥାକୁ ଇଙ୍ଗିତ କରୁଛି। ବୌଦ୍ଧ କଣ୍ଟାମାଳ ବ୍ଲକ ନିକଟରେ ନଳକୂଅରୁ ପାଣି ନେଉଥିବା ବେଳେ ନବମ ଶ୍ରେଣୀ ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କଲାଣି।
କୌତୂହଳର କଥା ହେଉଛି, ଖୋଦ୍ ଗୃହ ବିଭାଗର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ବିଭାଗକୁ ଯେତେସବୁ ନିର୍ଦେଶ ଦେଇଛନ୍ତି, ସେସବୁ ପାଳନ ଦିଗରେ ବାବୁମାନେ ଆନ୍ତରିକତା ଦେଖାଇନାହାନ୍ତି। ଜଗତସିଂହପୁର ଏସିଡ୍ ଆକ୍ରମଣ ଘଟଣାରେ ଦୁଇ ପୁଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଥିଲେ। ହେଲେ ଏହାର ଆଦୌ ପ୍ରଭାବ ପଡ଼ିନି, ପୁଲିସ ଅଧିକାରୀମାନଙ୍କ ଉପରେ। ବାଣପୁର ଘଟଣା ଏହାର ଉଦାହରଣ ଭାବେ ନିଆଯାଇପାରେ। ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷା ପାଇଁ ହେଲ୍ପ ଲାଇନ୍ ନମ୍ବର ୧୮୧ କଥା କହିଥିଲେ। ୨୪ଘଣ୍ଟିଆ ଏହି ସେବା ୩୦ଟି ଜିଲ୍ଲାରେ କାମ କରୁଛି କି? କମିସନରେଟ୍ ପୁଲିସ କ୍ଷେତ୍ରରେ ‘ମୋ ସାଥୀ’ ଆପ୍ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ କଳା ଓଢଣୀ ପୁଲିସ କାଢି ରଖିବା କ୍ଷେତ୍ରରେ ଖୋଦ୍ ମୁଖିଆ ବିଧାନସଭାରେ ନିଜର ଅସନ୍ତୋଷ ରଖିବାକୁ ବାଧ୍ୟ ହୋଇଥିଲେ। ଏବେ କୁନ୍ଦୁଲି ଠାରୁ ଆରମ୍ଭ କରି ବାଣପୁର ପର୍ଯ୍ୟନ୍ତ ଅପରାଧ ଘଟଣାରେ ପୁଲିସର ବେପରୁଆ ଓ ଦାୟିତ୍ୱହୀନ କାର୍ଯ୍ୟକଳାପ ସରକାର ବିରୋଧରେ ଅସନ୍ତୋଷକୁ ତେଜିଲାଣି।
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତିି, ଗତ କିଛି ବର୍ଷ ଧରି ପୁଲିସ ମୁଖିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ଏସ୍ପି ନିଯୁକ୍ତି କ୍ଷେତ୍ରରେ ସରକାର ଯେଉଁ ନୀତି ଆପଣାଇଛନ୍ତି, ତାହା ହିଁ ଏବେ ତାଙ୍କ ପାଇଁ କାଳ ହେବାକୁ ଯାଉଛି। ଦକ୍ଷତାକୁ ଅଣଦେଖା କରି ଦିଆଯିବା କାରଣରୁ, ଅନେକ ଯୋଗ୍ୟ ଅଫିସରଙ୍କ ମନୋବଳ ଭାଙ୍ଗିଯାଉଛି। ଥାନା ପର୍ଯ୍ୟନ୍ତ ମଧ୍ୟ ଏହାର ଛାପ ପଡୁଛି। ଯେଉଁ ଅଧିକାରୀ ଭଲ ପ୍ରଦର୍ଶନ କରୁନାହାନ୍ତି, ଏକଥା ଜାଣି ବି ସରକାର ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କିମ୍ବା ସେମାନଙ୍କୁ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଯୁକ୍ତି ଦେବା ଲାଗି କର୍ତ୍ତୃପକ୍ଷ ବିଚାର କରୁନାହାନ୍ତି। ଉପରସ୍ତରର ଏହି ହୁଗୁଳା ପଣ ତଳସ୍ତର ପର୍ଯ୍ୟନ୍ତ ବ୍ୟାପିଲାଣି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର କଥା କହି ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିଥିଲେ। ହେଲେ ସେତେବେଳେ ଯେଉଁ ଅଭିଯୋଗ ଆଣି ବିରୋଧୀ ଦଳକୁ ମାତ୍ ଦେଇଥିଲେ ଏବେ ସେ ଅଭିଯୋଗ ସରକାରଙ୍କ ବିରୋଧରେ ବଢିବାକୁ ଲାଗିଲାଣି। ପ୍ରଶ୍ନ ଉଠୁଛି, କାହା ନିର୍ଦେଶରେ କାମ କରୁଛି ପୁଲିସ? କାହିଁକି ହଠାତ୍ ରାଜ୍ୟରେ ଅପରାଧୀ ସକ୍ରିୟ ହୋଇପଡିଛନ୍ତି? ପୁଲିସ ବଡ଼ପଣ୍ଡାଙ୍କ ଉଦାସୀନତା ନା ରାଜନୈତିିକ ହସ୍ତକ୍ଷେପ ବଢୁଛି?
ଜାତୀୟ ରେକର୍ଡ ବ୍ୟୁରୋର ସର୍ବଶେଷ ପରିସଂଖ୍ୟାନ ଅନୁଯାୟୀ, ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଓଡିଶାରେ ବାର୍ଷିକ ଦଣ୍ଡବିଧାନ ହାର ମାତ୍ର ୬.୨ ପ୍ରତିଶତ ରହିଛି। ସର୍ବଭାରତୀୟ ସ୍ତରରେ ଏହାର ହାର ପ୍ରାୟ ୩ଗୁଣ। ବର୍ଷ ଆରମ୍ଭ ବେଳକୁ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୮୨,୩୬୪ ଟି ମାମଲା ଆମ ରାଜ୍ୟରେ ବିଚାରାଧୀନ ଥିବାବେଳେ ସେଥିରୁ ବର୍ଷରେ ମାତ୍ର ୬୩୦୪ଟି ମାମଲା ଫଏସଲା ହୋଇଥିଲା । ଏଥିରୁ ମାତ୍ର ୩୯୨ଟିରେ ଦଣ୍ଡବିଧାନ ହୋଇଥିବା ବେଳେ ୫୯୧୨ଟିରେ ଅଭିଯୁକ୍ତମାନେ ଖସି ଯାଇଥିଲେ। ମୋଟାମୋଟି ଭାବେ ବର୍ଷ ଶେଷବେଳକୁ ୯୨.୩ ପ୍ରତିଶତ ଅର୍ଥାତ୍ ୬୭,୦୫୭ ମାମଲା ବିଚାର ନହୋଇ ପଡିରହିଥିଲା ।