ଯୋଡ଼ାରେ ଜଘନ୍ୟକାଣ୍ଡ, ନାବାଳିକାକୁ ଗଣଦୁଷ୍କର୍ମ

ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ, ହସ୍ପିଟାଲରେ ଭର୍ତ୍ତି ୬ ଅଟକ, ୨ ଫେରାର୍‌

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ଘଟିଯାଇଛି ଏକ ଲୋମଟାଙ୍କୁରା ଘଟଣା। ଜଣେ ଆଦିବାସୀ ନାବାଳିକାକୁ ଗତକାଲି ବିଳମ୍ବିତ ରାତିରେ ୮ ଜଣ ନାବାଳକ ଟେକି ନେଇ ଗଣଦୁଷ୍କର୍ମ କରି ବିଲରେ ଫିଙ୍ଗି ଚାଲିଯାଇଛନ୍ତି। ସଂପୃକ୍ତ ନାବାଳିକାକୁ ପୁଲିସ ଆଜି ସକାଳେ ଉଦ୍ଧାର କରି ଟାଟା ଷ୍ଟିଲ ମେଡ଼ିକାଲରେ ଭର୍ତ୍ତି କରାଇଛି। ତାର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର। ସମସ୍ତେ ନାବାଳକ ବୋଲି କହୁଥିବାବେଳେ ଜନ୍ମ ପ୍ରମାଣପତ୍ର କିମ୍ବା ସ୍କୁଲ ପ୍ରମାଣପତ୍ର ଯାଞ୍ଚ ପରେ ସେମାନେ ନାବାଳକ କି ନୁହେଁ ଜଣାପଡ଼ିବ ବୋଲି ପୁଲିସ କହିଛି। ଏଭଳି ଜଘନ୍ୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନାବାଳିକା ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ଯୋଡ଼ା ଅଞ୍ଚଳର ଲକ୍ଷ୍ମୀପଡ଼ିଆରେ ବସି କଥାବାର୍ତ୍ତା ହେଉଥିଲେ। ହଠାତ୍‌ ୮ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ସେମାନଙ୍କୁ ଧମକଚମକ ଦେଇଥିଲେ। କ’ଣ କରୁଛ ବୋଲି ପଚାରିଥିଲେ। ନାବାଳିକା ଜଣଙ୍କ ମାମୁଘରକୁ ଯାଉଛୁ ବୋଲି କହିଥିଲେ। ମାତ୍ର ସମ୍ପୃକ୍ତ ଦୁର୍ବୃତ୍ତମାନେ ନାବାଳକଙ୍କୁ ମାଡ଼ ମାରିବା ସହ ଏକ ଗଛରେ ବାନ୍ଧି ଦେଇଥିଲେ। କିଛି ସମୟ ପରେ ଖୋଲିଦେଇ ମାମୁକୁ ଡାକି ଆଣିବାକୁ କହିଥିଲେ।

ନାବାଳକ ଜଣଙ୍କ ୨ କିମି ଦୂରରେ ଥିବା ମାମୁଘରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣଙ୍କ ପ୍ରଚଣ୍ଡ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସଂପୃକ୍ତ ଯୁବକମାନେ ବିଲରେ ଫିଙ୍ଗି ଦେଇ ଚାଲି ଯାଇଥିଲେ।ନାବାଳକ ଜଣଙ୍କ ତାଙ୍କ ମାମୁଙ୍କୁ ନେଇ ସେଠାରେ ପହଞ୍ଚି ନାବାଳିକାଙ୍କୁ ଖୋଜାଖୋଜି କରିଥି‌ଲେ। ମାତ୍ର ତାଙ୍କର କୌଣସି ପତ୍ତା ମିଳି ନଥିଲା। ନିରାଶ ହୋଇ ସେଠାରୁ ଫେରି ଯାଇଥିଲେ। ଆଜି ସକାଳେ ଲକ୍ଷ୍ମୀପଡ଼ିଆ ନିକଟ ଏକ ବିଲରେ ନାବାଳିକା ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି କେତେକ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଛି। ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିବା ସହିତ ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୧୦୦/୧୯ରେ ଏକ ମାମଲା ରୁଜୁ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଜଣଙ୍କୁ ଥାନାକୁ ଉଠାଇ ଆଣିଛି। ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ଫେରାର ଦୁଇଜଣଙ୍କୁ ‌ଧରିବା ପାଇଁ ପୁଲିସ ଜାଲ ବିଛାଇଛି। ଖବର ପାଇ ବଡ଼ବିଲ ଏସ୍‌ଡିପିଓ ଦିଲ୍ଲୀପ ଚନ୍ଦ୍ର ବାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅନ୍ୟପକ୍ଷରେ ନାବାଳିକା ଜଣଙ୍କ ଗତ ଗୁରୁବାର ଠାରୁ ନିଖୋଜ ଥିଲେ ବୋଲି ତାଙ୍କ ପରିବାର ଲୋକେ ପ୍ରକାଶ କରିିଛନ୍ତି। ହେଲେ ଏନେଇ କୌଣସି ନିଖୋଜ ଅଭିଯୋଗ ହୋଇ ନଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର