ଭବାନୀପାଟଣା, : ରାଜ୍ୟ ବାହାରେ ଦାଦନ ଖଟୁଥିବା ସ୍ବାମୀ ବିଶ୍ବାସରେ ଜଣେ ଚିହ୍ନା ଲୋକଙ୍କ ହାତରେ ପତ୍ନୀଙ୍କ ପାଖକୁ ପ‌ଠାଇଥିଲେ କିଛି ଟଙ୍କା ଓ ଜିନିଷପତ୍ର। ମାତ୍ର ଏହି ଟଙ୍କା ଦେବା ବାହାନାରେ ସଂପୃକ୍ତ ବ୍ୟକ୍ତି ଓ ଅନ୍ୟ ଦୁଇଜଣ ମିଶି ଦାଦନଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏଥିସହ ତାଙ୍କ ଘର ଆଲମିରା ଚାବି ଓ ଏଟିଏମ୍‌ କାର୍ଡ ମଧ୍ୟ ନେଇଯାଇଛନ୍ତି। ଥାନାରେ ଏ ନେଇ ପୀଡ଼ିତା ଅଭିଯୋଗ କରିବା ପରେ ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତଲମଲା ଗ୍ରାମର ଝସକେତନ ନାଗ ଓରଫ ଆକାଶ(୨୭), ଲକ୍ଷ୍ମୀକାନ୍ତ ନାଗ ଓରଫ ଅବନ(୩୨) ଓ କିଶୋର ଚନ୍ଦ୍ର ମହାଲିକ(୨୭)। ଏହି ଘଟଣା ଆଜି କଳାହାଣ୍ଡି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୀଡ଼ିତାଙ୍କ ସ୍ବାମୀ ଗୋଆରେ ଦାଦନ ଖଟୁଛନ୍ତି। ଗତ ୧୦ ତାରିଖ ଦିନ ଜୁନାଗଡ଼ ଥାନା ଅନ୍ତର୍ଗତ ତଲମଲା‌ ଗ୍ରାମର ଝସକେତନ ନାଗ ହାତରେ ପୀଡ଼ିତାଙ୍କ ସ୍ବାମୀ କିଛି ଜିନିଷପତ୍ର ଓ ହଜାରେ ଟଙ୍କା ପଠାଇଥିଲେ। ଏହି ଟଙ୍କା ଓ ସାମଗ୍ରୀକୁ ଆଣି ଝସକେତନ ଆସିଥିଲା। କିନ୍ତୁ ସନ୍ଧ୍ୟା ହେବାରୁ ଝସକେତନ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲା। ୧୨ ତାରିଖ ଦିନ ଝସକେତନ ପୀଡ଼ିତାଙ୍କ ଏଟିଏମ୍‌ କାର୍ଡରେ ଟଙ୍କା ଉଠାଣ କରିଦେବ ବୋଲି କହି ତାଙ୍କୁ ବାଇକ୍‌ରେ ବସାଇ ଆଣିଥିଲା। ସଦର ବ୍ଲକ୍‌ ଅନ୍ତର୍ଗତ ଶଗଡ଼ା ନିକଟସ୍ଥ ଗୋବରା ଗାଁରେ ଟିକିଏ କାମ ଅଛି କହି ସେଠାକୁ ଧରି ନେଇଥିଲା। ଗୋବରା ଗ୍ରାମର ଛକ ନିକଟ‌ରେ ବାଇକ୍‌ ରଖି ଲକ୍ଷ୍ମୀକାନ୍ତ ନାଗ ଓ କିଶୋରଚନ୍ଦ୍ର ମହାଲିକଙ୍କୁ ଫୋନ୍‌ ଯୋଗେ ଡାକିଥିଲା। ଏ ଦୁଇଜଣ ସାଙ୍ଗେ ସାଙ୍ଗେ ସେଠାରେ ପହଞ୍ଚିଥିଲେ। ଆଉ ତିନିଜଣ ଯାକ ମିଶି ମହିଳାଙ୍କୁ ପାଖରେ ଥିବା ନାଳାକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ସେଠାରେ ଛାଡ଼ିଦେଇ ତାଙ୍କ ଆଲମାରି ଚାବି ଓ ଏଟିଏମ୍‌ କାର୍ଡ ନେଇ ୩ଜଣ ଫେରାର୍‌ ହୋଇଯାଇଥିଲେ। ଏ ସଂପର୍କରେ କାହାରିକୁ କହିଲେ ହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ତେବେ ଏ ନେଇ ପୀଡ଼ିତା ସଦର ଥାନାରେ ଏତଲା ଦେଇଥିଲେ। ପୁଲିସ କେସ୍‌ ନଂ ୪୨୧/୧୨.୧୨. ୨୦୧୯ ଆଇପିସି ଧାରା ୩୭୬ଡି, ୩୯୪, ୨୯୪, ୫୦୬, ୩୪ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଥିଲା। ଗତକାଲି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ ପରେ ଜେଲ ପଠାଇ ଦିଆଯାଇଛି।