ଭଉଣୀ ସାଜିଲା ବଇରୀ, ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ

ଛାତରୁ ଠେଲି ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

ବାଙ୍କୀ, ୨/୬(ଇମିସ): ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ (ଗୋଟିଏ ଆଖିକୁ ଦେଖାଯାଉନାହିଁ) ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଛି। ସେ ସେଠାରୁ ଖସି ଆସିବାକୁ ଉଦ୍ୟମ କଲାବେଳେ ତାଙ୍କୁ ଛାତ ଉପରୁ ଠେଲି ହତ୍ୟା ଉଦ୍ୟମ କରାଯାଇଛି। ଛାତରୁ ପଡ଼ି ଦିବ୍ୟାଙ୍ଗ ଯୁବତୀଙ୍କ ଦୁଇ ଗୋଡ଼ ଭାଙ୍ଗିଯାଇଛି। ଏଭଳି ଏକ ସାଂଘାତିକ ଘଟଣା ଘଟିଛି ବାଲେଶ୍ବରରେ। କିନ୍ତୁ ଏହି ଯୁବତୀ ଜଣକ ବାଙ୍କୀ ଅଞ୍ଚଳର ହୋଇଥିବାରୁ ବାଙ୍କୀ ଥାନାରେ ପୀଡ଼ିତା ଯୁବତୀଙ୍କର ମା’ଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ପଂଚାୟତ ଭୋଇସାହିର ଜଣେ ଦିବ୍ୟାଙ୍ଗଙ୍କୁ ତାଙ୍କର ସଂପର୍କୀୟ ଭଉଣୀ (ପୀଡ଼ିତାର ମା’ର ନଣନ୍ଦଙ୍କ ଝିଅ) ରୋଜଗାରରେ ଲଗାଇବା ପ୍ରଲୋଭନ ଦେଖାଇ ମାର୍ଚ୍ଚ ୨୦ ତାରିଖରେ ଡାକି ନେଇଥିଲା। ମାତ୍ର ପରେ ଲକ୍‌ଡାଉନ ଘୋଷଣା ହେବାରୁ ଝିଅ କୋଉଠି ଅଛି ଆଉ କ’ଣ କରୁଛି ଜାଣିବା ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ପକ୍ଷରୁ ସମ୍ଭବ ହୋଇପାରିନଥିଲା। ଝିଅ ପାଖରେ ଫୋନ ନଥିବାରୁ ତାଙ୍କୁ ନେଇଥିବା ଭଉଣୀ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସେ ବହୁ ସମୟରେ ଫୋନ ଉଠାଉନଥିଲା। ଫୋନ୍‌ ଉଠାଇଲେ ଝିଅ ପାଖରେ ନଥିବା କହି ଫୋନ୍‌ କାଟି ଦେଉଥିଲା। ପରେ କୌଣସି ଉପାୟରେ ଝିଅ ସହ ଯୋଗାଯୋଗ କରିଥିଲେ ପରିବାର ଲୋକେ। ମାତ୍ର, କଥାବର୍ତ୍ତାବେଳେ ସେ ଏକ ହୋଟେଲର ବନ୍ଦ କୋଠରୀରେ ଥିବା ଏବଂ ଯେଉଁ କାମ ପାଇଁ ତାଙ୍କୁ ଅଣାଯାଇଥିଲା ସେ ସେକାମ କରୁନଥିବା କହିଥିଲେ।। 

ଗତ ମାସ ୨୫ ତାରିଖରେ ଝିଅ କଟକ ବଡ଼ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ଜାଣି ହରିରାଜପୁର ଗ୍ରାମ ସ୍ଥିତ ରତ୍ନେଶ୍ବରୀ କ୍ଲବର ସଦସ୍ୟ ଏବଂ ପାରାଲିଗାଲ ସ୍ବେଚ୍ଛାସେବୀ ବିଭୂତି କୁମାର ରାୟଙ୍କ ସହଯୋଗରେ ପୀଡ଼ିତାଙ୍କ ପରିବାର ବଡ଼ ମେଡିକାଲରେ ପହଞ୍ଚିଥିଲେ। ପୀଡ଼ିତା କହିଥିଲେ ଯେ, ‘ ସମ୍ପୃକ୍ତ ହୋଟେଲରେ ତାଙ୍କୁ ଶାରିରୀକ ନିର୍ଯାତନା ଦେଇ ବହୁବାର ଦୁଷ୍କର୍ମ କରାଯାଇଥିଲା। ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ଅନ୍ୟ ଆଖିକୁ ଏସିଡ୍‌ ପକାଇ ନଷ୍ଟ କରିଦିଆଯିବ ବୋଲି ଧମକ ‌ଦିଆଯାଇଥିଲା। ଗୋଟିଏ ଦିନ ସେମାନଙ୍କ କବଳରୁ ଖସି ଆସିବାକୁ ଉଦ୍ୟମ କଲାବେଳେ ସମ୍ପୃକ୍ତ ହୋଟେଲ ମାଲିକ ପପୁ ସହ ତା’ର ସମ୍ପର୍କୀୟ ଭଉଣୀ ଏବଂ ତାଙ୍କର ସହଯୋଗୀମାନେ ତାଙ୍କୁ ହୋଟେଲ ଛାତ ଉପରୁ ତଳକୁ ଠେଲି ଦେଇଥିଲେ।’

ପୀଡ଼ିତା ଯୁବତୀଙ୍କ ଦୁଇ ଗୋଡ ଭାଙ୍ଗି ଯାଇଥିବାବେଳେ ଦୁଇ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଛି। ଏ ନେଇ ବାଙ୍କୀ ଥାନାରେ ପୀଡିତାର ମା’ଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିବା ବେଳେ (କେସ ନ.୧୪୩/୨୦୨୦ ଏବଂ ଦଫା ୩୫୪, ୩୨୩, ୩୨୫, ୫୦୬, ୨୯୪, ୩୪୨, ୩୭୬(୨)(ଏନ୍), ୩୭୬(ଡି) ଏବଂ ୩୪ ଆଇପିସି) ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏସଡିପିଓ ପ୍ରସନ୍ନ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି। ଘଟଣାଟି ବାଲେଶ୍ବର ଜିଲ୍ଲାର କୈାଣସି ଏକ ହୋଟେଲରେ ଘଟିଥିବା ତଦନ୍ତରୁ ଜଣାପଡିଥିବା ବେଳେ ଅଭିଯୁକ୍ତମାନେ ଘଟଣାପରେ ଗ୍ରାମରୁ ଫେରାର ହୋଇଯାଇଥିବା ସେ କହିଛନ୍ତି। ଏଥିସହିତ, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି ବୋଲି ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର